କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଫାଇଭ-ଟି ଯୋଜନାକୁ ଫୁ କରି ଉଡାଇ ଦେଇଛନ୍ତି ଗୁରୁଡିଝାଟିଆ ପୁଲିସ । ଥାନା ଆଗରେ ଥାନା ଅଧିକାରୀଙ୍କ ସହ ମହିଳାଙ୍କ ଧସ୍ତାଧସ୍ତି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମହିଳାମାନେ ଥାନା ଅଧିକାରୀଙ୍କୁ ଧସ୍ତାଧସ୍ତି କରୁଥିବା ବେଳେ ପୁଲିସ ଅଧିକାରୀ ଜଣକ ମଧ୍ୟ ମହିଳାଙ୍କୁ ଠେଲିଦେଉଥିବା ଦେଖିବାକୁ ମିଳିଛି । ଏପରିକି ଗୁରୁଡିଝାଟିଆ ପୁଲିସ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ଏକ ଜମିଜମା ମାମଲାକୁ ନେଇ ଗତକାଲି ମାଲିଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଗୁରୁଡିଝାଟିଆ ଥାନାରେ ଏତଲା ହୋଇଥିଲା । ଉଭୟ ପକ୍ଷଙ୍କୁ ଆଜି ଥାନକୁ ଡାକିଥିଲେ ଥାନା ଅଧିକାରୀ । ତେବେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିବା ଅଭିଯୋଗ ଆଣି ଥାନା ଅଧିକାରୀଙ୍କୁ ଘେରିଯାଇଥିଲେ ମହିଳାମାନେ । ଏହି ସମୟରେ ପୁଲିସ ଅଧିକାରୀ ଜଣକ ମହିଳାମାନଙ୍କ ସହ ଧସ୍ତାଧସ୍ତି କରିବା ସହ ଜାତିଆଣା ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ଆଉ ମହିଳାଙ୍କ ସହ ଥାନା ବାବୁଙ୍କ ଧସ୍ତାଧସ୍ତି ଘଟଣା ଏବେ ନୂଅ ବିବାଦ ସୃଷ୍ଟି କରିଛି ।