ଚିନ୍ତା ବଢାଉଛି କେରଳର କରୋନା ସଂକ୍ରମଣ । ଦେଶର ଅଧା ସଂକ୍ରମିତ ଚିହ୍ନଟ ହେଉଛନ୍ତି କେବଳ କେରଳ ରାଜ୍ୟରୁ ।

193

କନକ ବ୍ୟୁରୋ: ଚିନ୍ତା ବଢ଼ାଉଛି କେରଳର କରୋନା ସଂକ୍ରମଣ । ଦେଶରେ ଦୈନିକ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତିି ସେ ମଧ୍ୟରୁ ଅଧାରୁ ଅଧିକ ମାମଲା ଆସୁଛି କେବଳ କେରଳରୁ ଅର୍ଥାତ୍ ୫୦ ପ୍ରତିଶତରୁ ଅଧିକ କେସ୍ ଏହି ରାଜ୍ୟରୁ ଆସୁଛି । ବୁଧବାର ଦେଶରେ ୪୩,୬୫୪ ମାମଲା ଚିହ୍ନଟ ହୋଇଥିଲା, ଆଉ କେରଳରେ ସଂକ୍ରମଣ ରହିଥିଲା ୨୨,୧୨୯ । ସେଠାରେ ମୃତ୍ୟୁ ସଂଖ୍ୟା ମଧ୍ୟ ଚିନ୍ତାଜନକ ରହିଛି । ଏବେ ବି ରାଜ୍ୟରେ ୧ ଲକ୍ଷ ୪୫ ହଜାରରୁ ଅଧିକ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ।

ସବୁଠୁ ଚିନ୍ତାଜନକ ହେଉଛି କେରଳର ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର । ବୁଧବାର ଦିନ ରାଜ୍ୟର ସଂକ୍ରମଣ ହାର ରହିଥିଲା ୧୧.୨ ପ୍ରତିଶତ । ଯାହା ଜାତୀୟ ସଂକ୍ରମଣ ହାର ଠାରୁ ବହୁ ଅଧିକ । ସେପଟେ ବିଶ୍ୱରେ ଗୋଟିଏ ସପ୍ତାହରେ କରୋନା ଜନିତ ମୃତ୍ୟୁ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଡେଲଟା ଭାଇରସ୍ ଯୋଗୁଁ ସ୍ଥିତି ସଂଗୀନ ହେବାରେ ଲାଗିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲ୍ୟୁଏଚଓର ଆକଳନ ଅନୁସାରେ, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସାରା ବିଶ୍ୱରେ ୨୦ କୋଟି ଟପିପାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ।

ଦେଶରେ କରୋନାର ଦ୍ୱିତୀୟ ଲହର କମୁଥିବା ବେଳେ କେରଳରେ କ୍ରମାଗତ ଭାବରେ ବଢ଼ିବାର ଲାଗିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସରକାର ୩୧ ଜୁଲାଇରୁ ୧ ଅଗଷ୍ଟ ଯାଏଁ ରାଜ୍ୟକୁ ସଂପୂର୍ଣ୍ଣ ଭାବେ ଲକଡାଉନ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେରଳର ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭାରତ ସରକାର ୬ ଜଣିଆ ସ୍ୱାସ୍ଥ୍ୟ ଦଳ ରାଜ୍ୟକୁ ପଠାଇବା ଲାଗି ଯୋଜନା କରିଛନ୍ତି । ଦଳର ନେତୃତ୍ୱ ନ୍ୟାସନାଲ ସେଣ୍ଟର ଅଫ ଡିଜିଜ୍ କଣ୍ଟ୍ରୋଲର ନିର୍ଦ୍ଦେଶକ ନେବେ । ଦଳର ସଦସ୍ୟମାନେ କେରଳ ସରକାରଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବେ ବୋଲି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ଏଲ ମାଣ୍ଡବ୍ୟ ସୂଚନା ପ୍ରଦାନ କରିଛନ୍ତି ।