ପୁଣି ଦିଲ୍ଲୀ ସୀମାରେ ଦେଖିବାକୁ ମିଳିବେ ହଜାର ହଜାର କୃଷକ । ଆନ୍ଦୋଳନରେ ଯୋଗଦେବାକୁ ହରିଆଣାରୁ ବାହାରିଲେ ୫ ହଜାର କୃଷକ । ଭିଡ ଉପରେ ଫୁଲ ବର୍ଷା ।

201

କନକ ବ୍ୟୁରୋ : ପୁଣିଥରେ କୃଷକ ଆନ୍ଦୋଳନ ଜୋରଦାର ହେବ । ଦିଲ୍ଲୀ ସୀମାରେ ଦେଖିବାକୁ ମିଳିବ ହଜାର ହଜାର କୃଷକଙ୍କ ଭିଡ । ଏଭଳି ଅନୁମାନ ଲଗାଯାଉଛି ଏଥିପାଇଁ କି ଆଜି ହରିଆଣାର ପାନିପତରୁ ୫ ହଜାରରୁ ଅଧିକ କୃଷକ ଆନ୍ଦୋଳନରେ ଯୋଗ ଦେବାକୁ ବାହାରିଛନ୍ତି । ସେମାନଙ୍କୁ ବିଦାୟ ଦେବା ଅବସରରେ ଶହ ଶହ ମହିଳା ଓ ପୁରୁଷ ସେମାନଙ୍କ ଉପରେ ଫୁଲ ବର୍ଷା କରି ଆନ୍ଦୋଳନ ସ୍ଥଳକୁ ବିଦାୟ ଦେଇଛନ୍ତି ।

ଲଗାତର ୬ ମାସରୁ ଉର୍ଦ୍ଧ ହେବ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । କୃଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ କରନାଲ, ଆମ୍ବାଲା ପରେ ଆଜି ପାନୀପତରୁ ୫ ହଜାରରୁ ଅଧିକ କୃଷକ ଦିଲ୍ଲୀ ଯାତ୍ରା କରିଛନ୍ତି । ପାନିପତ ଟୋଲଗେଟ୍ ନିକଟରେ ସକାଳ ୯ ଟାରୁ କୃଷକମାନେ ଏକତ୍ରୀତ ହୋଇଥିଲେ । ଦିନ ୧୧.୩୦ ମିନିଟରେ ହରିଆଣା ରାଜ୍ୟ କୃଷକ ମୋର୍ଚ୍ଚାର ଅଧ୍ୟକ୍ଷ ଗୁରନାମ ସିଂ ଚଢୁନୀ ସେଠାରେ ପହଂଚିଥିଲେ । ଏହାପରେ ଡିଏସପି ସନ୍ଦୀପ ଚଢୁନୀଙ୍କୁ ନିଜ ଗାଡିରେ ନେଇ ଏସପି ଶଶାଙ୍କ କୁମାର ସାବନଙ୍କ ସହିତ କଥାବାର୍ତ୍ତା କରାଇଥିଲେ । ସେଠାରୁ ଫେରି ଶାନ୍ତିପୂର୍ଣ୍ଣ ଭାବେ ଯାତ୍ରା କରିବାକୁ କୃଷକ ମାନଙ୍କୁ ସେ ଆହ୍ୱାନ ଦେଇଥିଲେ । କୃଷକମାନେ ଯାତ୍ରା କରୁଥିବା ବେଳେ ଏକ ପୋଲ ଉପରେ କିଛି ମହିଳା ଓ ପୁରୁଷ ଫୁଲ ବର୍ଷା କରିଥିଲେ ।

ଗୁରୁନାମ ସିଂ ଚଢୁନି କହିଛନ୍ତି କି, ଆଜିର ଏହି କୃଷକ ମାର୍ଚ୍ଚ ଇତିହାସ ରଚିଲା । ଦିଲ୍ଲୀକୁ ଜୟ କରିବାକୁ ପାନିପତରୁ ୩ ଥର ଯୁଦ୍ଧ ହୋଇଥିଲା ଏବେ ଚତୁର୍ଥ ଯୁଦ୍ଧ ଲଢିବାକୁ କୃଷକମାନେ ଦିଲ୍ଲୀ ଯାତ୍ରା କରୁଛନ୍ତି ।

ଅନ୍ୟପଟେ କେନ୍ଦ୍ର ସରକାର ଗତକାଲି ଖରିଫ୍ ଫସଲ ଉପରେ ଏମଏସପି ବୃଦ୍ଧି କରି କୃଷକଙ୍କ ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି । ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି କି ବିଜେପି ସରକାର ସର୍ବଦା କୃଷକମାନଙ୍କ ହିତରେ ଅଛି ଓ କୃଷକମାନଙ୍କ ସମସ୍ୟା ଉପରେ ଆଲୋଚନା କରିବାକୁ ସରକାର ସବୁବେଳେ ପ୍ରସ୍ତୁତ । କେବଳ ପିଜିଟିଭ୍ ଚିନ୍ତାଧାରା ନେଇ କୃଷକମାନେ ଆଲୋଚନାକୁ ଆସିଲେ ସମାଧାନ ହୋଇପାରିବ ।