କନକ ବ୍ୟୁରୋ : ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ୧୮ ମାସ ହେଲା ସ୍କୁଲ ବନ୍ଦ । ଦିନେ ବି ହେଲେ କ୍ଲାସରୁମ୍ ଶିକ୍ଷା ହୋଇପାରି ନାହିଁ । କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି । ଏହି ଲହରରେ ଶିଶୁ ଅଧିକ ଆକ୍ରାନ୍ତ ହେବ ନେଇ ବିଶେଷଜ୍ଞମାନେ ମତପୋଷଣ କରିବା ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ପୁଣି ଥରେ ଆଶଙ୍କା ସୃଷ୍ଟି ହୋଇଛି ।
ଏମିତିକି ଅକ୍ଟୋବର ମାସ ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ରାଜ୍ୟ ସରକାର ଆପତତଃ ନିଷ୍ପତି ନେଇଛନ୍ତି । ଏଭଳି ଏକ ସମୟରେ ଡ୍ରପଆଉଟ୍ ତଥା ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । କରୋନା କାଳରେ ଅର୍ଥାତ ଗତ ୧୮ ମାସ ମଧ୍ୟରେ ପାଖାପାଖି ଏକ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ଲାଗିଛି । କିଏ ଅଧାରୁ ଶିକ୍ଷା ଗ୍ରହଣ ଛାଡ଼ିଛନ୍ତି ତ ଆଉ କିଏ ଉଚ୍ଚ ଶ୍ରେଣୀରେ ନାମ ଲେଖାଇ ପାରିନାହିଁ ।
ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡ୍ରପ ଆଉଟ ରେଟକୁ ନେଇ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ଏବେ ସୁଦ୍ଧା ପାଖାପାଖି ୯୭ ହଜାର ପିଲା ଡ୍ରପ ଆଉଟ ହୋଇଥିବା ବେଳେ ସେଥିମଧ୍ୟରୁ ୬୦ ପ୍ରତିଶତ କେବଳ ଉପାନ୍ତ ଅଂଚଳର ବୋଲି ଜଣାପଡ଼ିଛି ।