କନକ ବ୍ୟୁରୋ : ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆୟୋଜିତ ଗୋଷ୍ଠୀ ସହଭାଗିତା ଉତ୍ସବରେ ୮୦୦୦ ସହଭାଗୀଙ୍କୁ ମିଳିଛି ସାଇକେଲ । ଜଳସାଥୀ, ଆହାରକର୍ମୀ, ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାଦ୍ୱାରା କର୍ମଜୀବୀ ମହିଳା ମାନଙ୍କ ଯାତାୟତ ସହଜ ହେବ ।

Advertisment

ସାଇକେଲ ବଣ୍ଟନ ଉତ୍ସବରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ମାନେ ବହୁତ ଭଲ କାମ କରୁଛନ୍ତି ତାହାକୁ ଜାରି ରଖନ୍ତୁ । ମୁଁ ସବୁବେଳେ ଆପଣଙ୍କ ସାଥୀରେ ଅଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ମୁଁ ଯାଉଛି, ମିଶନ ଶକ୍ତିର ମା’ ମାନଙ୍କୁ ଭେଟୁଛି । ନବୀନ ନିବାସକୁ ମା’ ମାନେ ଆସି ମୋତେ ଭେଟୁଛନ୍ତି । ମା’ ମାନଙ୍କ ସଫଳତା ବହୁତ ଖୁସି ଦେଉଛି, ମା’ ମାନଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହ ମିଶନ ଶକ୍ତିକୁ ଏକ ନମ୍ବର ସଫଳ କାର୍ଯ୍ୟକ୍ରମ କରିଛି । ବିଭିନ୍ନ ସହରରେ ମା’ ମାନେ ଅନେକ ଦାୟିତ୍ୱ ନେଇଛନ୍ତି । ମା’ ମାନେ କରୁଥିବା କାମରେ ସମସ୍ତେ ଖୁସି । ମା’ ମାନେ ଯେପରି ସୁବିଧାରେ ଦାୟିତ୍ୱ ପାଳନ କରିବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି । ୮୦୦୦ରୁ ଅଧିକ ମା’ ମାନେ ସାଇକେଲ ପାଇବେ । ଏହାଦ୍ୱାରା ମା’ ମାନଙ୍କର କାମ ସହଜ ହେବ । ଓଡ଼ିଶା ସରକାରର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଶନ ଶକ୍ତି ମା’ ମାନଙ୍କୁ ୧୦୦ କୋଟି ଟଙ୍କାର ଇନସେନଟିଭ ଦେଇଛି । ଓଡ଼ିଶା ଏବେ ବିଶ୍ୱସ୍ତରରେ ନାଁ କମାଇଛି । ଆଉ ଏଥିରେ ମିଶନ ଶକ୍ତି ମା’ ମାନଙ୍କର ଯଥେଷ୍ଟ ଅବଦାନ ରହିଛି । ଭଲ କାମ କରି ଓଡ଼ିଶାର ସମ୍ମାନ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।