ଇଣ୍ଡୋନେସିଆରେ ପ୍ରକୃତିର ମହାତାଣ୍ଡବ! ମୃତ୍ୟୁସଂଖ୍ୟା ଟପିଲା ୮୦୦, ହଜାର ହଜାର ଏବେ ମଧ୍ୟ ନିଖୋଜ

40

କନକ ବ୍ୟୁରୋ : ସୁନାମୀର ଦେଶ ଇଣ୍ଡୋନେସିଆରେ ସୁନାମୀର ବିଭୀଷିକା । ଭୂକମ୍ପ ଓ ସୁନାମୀରେ ଏଯାଏଁ ମୃତ୍ୟୁସଂଖ୍ୟା ୮ଶହ ଟପିଲାଣି । ବେସରକାରୀ ସୁତ୍ରରେ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି । ଚାରିଆଡେ କୁଢ କୁଢ ଶବ ପଡିରହିଛି । ସେପଟେ ଗତ ୨୪ ଘଂଟା ମଧ୍ୟରେ ଉଦ୍ଧାରକାର‌୍ୟ୍ୟ ଜୋରଦାର କରିଛନ୍ତି ଇଣ୍ଡୋନେସିଆ ସରକାର । ହଜାର ହଜାର ଲୋକଙ୍କୁ ଅସ୍ଥାୟୀ ରିଲିଫ୍ କ୍ୟାମ୍ପରେ ରଖି ରିଲିଫ୍ ଦିଆଯାଉଛି । ସେପଟେ ଏତେବଡ ପ୍ରାକୃତିକ ବିପର‌୍ୟ୍ୟୟର ସାମ୍ନା କରିଥିବା ଇଣ୍ଡୋନେସିଆକୁ ସହାୟତାର ହାତ ବଢାଇଛି ଭାରତ ।

ଇଣ୍ଡୋନେସିଆରେ ସୁନାମୀର ମହାପ୍ରଳୟ । ୨୪ ଘଂଟାରେ ଦୁଇ ଗୁଣ ହେଲା ମୃତ୍ୟୁ ସଂଖ୍ୟା । ଭୂକମ୍ପ ଓ ସୁନାମୀ ତାଣ୍ଡବ ରଚିଛି ଇଣ୍ଡୋନେସିଆରେ । ଚାରିଆଡେ କୁଢ କୁଢ ଶବ ପଡି ରହିଛି । ଭୟଙ୍କର ସୁନାମୀ ଏଯାଏଁ ୮ଶହରୁ ଅଧିକ ଲୋକଙ୍କ ଜୀବନ ନେଲାଣି । ହଜାର ହଜାର ଲୋକଙ୍କ ପତା ମିଳୁନି । ୬ ଶହରୁ ଅଧିକ ଲୋକ ଗୁରୁତର ଅଛନ୍ତି । ସେମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଏବେବି ଭଙ୍ଗା କୋଠା ତଳେ ଅନେକ ମୃତଦେହ ଫସି ରହିଛି ।

ବିପର‌୍ୟ୍ୟୟର ଛାତିଥରା ଦୃଶ୍ୟ । ସୁଲାୱେସୀ ଦ୍ୱୀପରେ ହାହାକାର । ଭୁଶୁଡି ପଡିଛି ବଡ ବଡ କୋଠା । ମାଟିରେ ମିଶିଯାଇଛି ଘର । ଆଉ ସେ ଭିତରୁ ଚାଲିଛି ଉଦ୍ଧାର କାମ । ଇଣ୍ଡୋନେସିଆ ସରକାର ଯୁଦ୍ଧକାଳୀନ ଭିତରେ ଉଦ୍ଧାର ଓ ରିଲିଫ୍ ବଣ୍ଟନ କାମ ଜାରି ରଖିଛନ୍ତି । ଜାହାଜ ଓ ହେଲିକପ୍ଟରରେ ଚାଲିଛି ଉଦ୍ଧାର କାର‌୍ୟ୍ୟ । ଅହତଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇଛି । ପିଇବା ପାଣି, ଖାଦ୍ୟ ଯୋଗାଇ ଦେଉଛି ପ୍ରଶାସନ । ସୁନାମୀରେ ଛାରଖାର ହୋଇଯାଇଛି ପାଲୁ ସହର । ସମୁଦ୍ରକୂଳରେ ବେଳାଭୂମି ମହୋତ୍ସବ ପାଳନ ବେଳେ ହଜାର ହଜାର ଲୋକ ଜମା ହୋଇଥିବାରୁ ମୃତକ ଓ ନିଖୋଜଙ୍କର ପତା ମିଳୁନି ।

ଭୂକମ୍ପ ପରେ ମାଡି ଆସିଲା ସୁନାମୀ । ପ୍ରଥମେ ୭ ଦଶମିକ ୫ ତୀବ୍ରତାର ଭୂକମ୍ପରେ ଥରି ଉଠିଲା ଉତର ଇଣ୍ଡୋନେସିଆର ସୁଲାୱେସୀ ଦ୍ୱୀପ । ପାଣିପାଗ ବିଭାଗ, ସୁନାମୀ ନେଇ ସତର୍କତା ଜାରି କଲା । ହେଲେ କିଛି ସମୟ ପରେ ସତର୍କ ସୂଚନା ହଟାଇନେଇଥିଲା । ଏହାର କିଛି କ୍ଷଣ ପରେ ଜନବସତିକୁ ମାଡି ଆସିଥିଲା ସମୁଦ୍ର । ଆଉ ଭସାଇନେଇଥିଲା ସବୁକିଛି । ବଦଳିଯାଇଛି ସାଢେ ୩ ଲକ୍ଷ ଜନସଂଖ୍ୟାର ସହର ସୁଲାୱେସୀର ନକ୍ସା । ଏପଟେ ଭୂକମ୍ପ ଓ ସୁନାମୀ ପୀଡିତ ଇଣ୍ଡୋନେସିଆକୁ ଗଭୀର ସମବେଦନା ଜଣାଇଛି ଭାରତ । ଜାତିସଂଘର ଅଧିବେଶନରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ଇଣ୍ଡୋନେସିଆକୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।