ଘର ପାଇବାରୁ ବଞ୍ଚିତ ହେଲେ ଗ୍ରାମାଞ୍ଚଳର ସାଢ଼େ ୮ ଲକ୍ଷରୁ ଅଧିକ ପରିବାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତ୍ରୁଟି ଦର୍ଶାଇଲେ ସିଏଜି

1,167

କନକ ବ୍ୟୁରୋ: ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ କରିବା, ଗରିବର ସବୁଠୁ ବଡ଼ ସ୍ୱପ୍ନ । ଏହି ମୌଳିକ ଆବଶ୍ୟକତା ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗୁରୁତ୍ୱ ଦିଆଯାଉଛି । ହେଲେ ସମସ୍ତଙ୍କୁ ଘର ଯୋଗାଇ ନେବା ଲକ୍ଷ୍ୟ ହାସଲ ପାଇଁ ଯେତିକି ନିଷ୍ଠାର ସହ ଯୋଜନାକୁ କାର୍ଯ୍ୟକାରୀ କରିବା କଥା, ତାହା ହୋଇ ପାରୁନାହିଁ । ଭାରତର ମହାଲେଖା ନିୟନ୍ତ୍ରକ ଓ ମହା ପରୀକ୍ଷକ ‘ସିଏଜି’ ପ୍ରକାଶ କରିଥିବା ରିପୋର୍ଟରେ ଏହି ତ୍ରୁଟି ଦର୍ଶାଇଛନ୍ତି ।

ସିଏଜି ରିପୋର୍ଟ

  • ରାଜ୍ୟର ଗ୍ରାମାଞ୍ଚଳରେ ୮ ଲକ୍ଷ ୫୯ ହଜାର ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି
  • ଏହି ହିତାଧିକାରୀମାନେ ଗ୍ରାମସଭା ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିଲେ
  • ହେଲେ ପରମାନେଣ୍ଟ ୱେଟିଂ ଲିଷ୍ଟରୁ ବାଦ ପଡିଛନ୍ତି
  • ଘର ମଞ୍ଜୁର ହେବା ପରେ ହିତାଧିକାରୀଙ୍କୁ ଠିକ୍ ସମୟରେ ଅର୍ଥ ଦିଆଯାଇନାହିଁ
  • ଧାର୍ଯ୍ୟ ସମୟରେ ଯୋଗ୍ୟ ହିତାଧିକାରୀ ଚୟନ କରି ନପାରିବାରୁ ସାଢ଼େ ୧୨ ଲକ୍ଷ ପରିବାର ତାଲିକାରେ ସାମିଲ ହୋଇ ପାରିନାହାନ୍ତି
  • ୭୦ ପ୍ରତିଶତ ଭୂମିହୀନ ହିତାଧିକାରୀଙ୍କୁ ଜମି ଯୋଗାଇବାରେ ବିଫଳ ହେବାରୁ ସେମାନଙ୍କୁ ଘର ମିଳିନାହିଁ

କେବଳ ସେତିିକି ନୁହେଁ, କିଛି ହିତାଧିକାରୀ ଘର ସଂପୂର୍ଣ୍ଣ କରିଥିଲେ ବି ଅନ୍ୟାନ୍ୟ ଯୋଜନାରୁ ପାଣ୍ଠି ସଂଗ୍ରହରେ ବିଫଳ ହେବାରୁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ସିଏଜି ଅଡିଟରୁ ଜଣାପଡିଛି, ଘର ସଂପୂର୍ଣ୍ଣ ହୋଇଛି ସତ, କିନ୍ତୁ ଅନେକ ଘରକୁ ବିଜୁଳି ଯାଇନାହିଁ । କେଉଁଠି ଶୌଚାଳୟ ନାହିଁ ତ କେଉଁଠି ପାନୀୟ ଜଳର ବ୍ୟବସ୍ଥା ନାହିଁ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଏହାର ଜବାବରେ କେନ୍ଦ୍ର ସରକାରଙ୍କ ଉପରକୁ ଦୋଷ ଠେଲିଛି ବିଜେଡି ।

ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଭଳି ମେଧା ବୃତ୍ତିରେ ଅନେକ ସମସ୍ୟା ଥିବା ଦର୍ଶାଇଛନ୍ତି ସିଏଜି ।

  • ମାଟ୍ରିକ ବୃତ୍ତି, ମେଧାବୃତ୍ତି ପ୍ରଦାନରେ ତ୍ରୁଟି
  • ଯୋଗ୍ୟ ପାଉନଥିଲେ, ଅଯୋଗ୍ୟଙ୍କୁ ମିଳୁଥିଲା ବୃତ୍ତି!
  • ବୃତ୍ତି ପାଇଛନ୍ତି ଅସ୍ତିତ୍ୱ ନଥିବା ଅନୁଷ୍ଠାନର ଛାତ୍ରଛାତ୍ରୀ

ବୃତ୍ତି ପ୍ରଦାନରେ ଅନିୟମିତତା ହୋଇଥିବା ନେଇ ସିଏଜି ରିପୋର୍ଟରୁ ଜଣାପଡିବା ପରେ ତଦନ୍ତ ଦାବି କରିଛି ବିଜେପି । ସିଏଜି ରିପୋର୍ଟକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ ।