କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ଭୋଟର ତାଲିକା ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଏଥିରେ ୭ ଲକ୍ଷରୁ ଅଧିକ ଯୁବ ଭୋଟର ଯୋଡି ହୋଇଛନ୍ତି । ଯେଉଁମାନେ ପ୍ରଥମ ଥର ନିଜର ମତାଧିକାର ସାବ୍ୟସ୍ତ କରିବେ । କୁହାଯାଉଛି, ଏମାନଙ୍କ ଭୋଟ ରାଜ୍ୟ ରାଜନୀତିରେ ନିର୍ଣ୍ଣାୟକ ହୋଇପାରେ । ତେଣୁ ଏହି ବର୍ଗର ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସବୁ ରାଜନୈତିକ ଦଳ ।

Advertisment

ଯୁବ ଭୋଟ୍ କାହା ପାଖକୁ ଯିବ । ବିଜେପି, କଂଗ୍ରେସ ନା ବିଜେଡି । ଏହି ବର୍ଗକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳଗୁଡିକ ଅନେକ କାର୍ଯ୍ୟକ୍ରମ କରୁଛନ୍ତି । ଶାସକ ଦଳ ପକ୍ଷରୁ କଲେଜ କ୍ୟାମ୍ପସରେ ମାରାଥନ ‘ନୂଆ ଓ’ କାର୍ଯ୍ୟକ୍ରମ କରାଯାଉଛି । ସେପଟେ କେନ୍ଦ୍ର ସରକାର ଯୁବା ଭାରତ ସ୍କିମ୍ ଆଣିଲେଣି । କଲେଜ କ୍ୟାମ୍ପସରେ ମୋଦୀଙ୍କ ସେଲ୍ଫି ପଏଂଟ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି । କାରଣ ଦେଶରେ ହେଉଛନ୍ତୀ ୪୦ କୋଟି ଯୁବ ଭୋଟର । ଏସବୁ ଭିତରେ ମୁଖ୍ୟ ନିର୍ବାଚନ କମିଶନ, ଓଡ଼ିଶା ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି ।

୨୦୨୪ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା
- ଭୋଟର ତାଲିକାରେ ଯୋଡି଼ ହୋଇଛନ୍ତି ୧୨ ଲକ୍ଷ ୯୭ ହଜାର ୯୫୪ ନୂଆ ଭୋଟର
- ୧୮ରୁ ୧୯ ବର୍ଷର ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬
- ମୋଟ ଭୋଟରଙ୍କ ମଧ୍ୟରୁ ୧ କୋଟି ୬୮ ଲକ୍ଷ ୫୧ ହଜାର ପୁରୁଷ
- ୧ କୋଟି ୬୩ ଲକ୍ଷ ୮୨ ହଜାର ମହିଳା ଭୋଟର ରହିଛନ୍ତି
- ରାଜ୍ୟରେ ମୋଟ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର

ସବୁଠାରୁ ବଡକଥା ହେଉଛି ଏଥର ୭ଲକ୍ଷରୁ ଅଧିକ ଯୁବ ଭୋଟର ଅଛନ୍ତି । ଅର୍ଥାତ ଏମାନେ ପ୍ରଥମଥର ୨୦୨୪ ନିର୍ବାଚନରେ ମତଦାନ କରିବେ । ତେଣୁ ଏହି ନୂଆ ଭୋଟରଙ୍କୁ କାହାକୁ ଭରସା କରିବେ ତା ଉପରେ ନଜର ରହିବ । ଏମାନଙ୍କ ପସନ୍ଦ ହିଁ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । ବିଜେଡି କହିଛି, ନବୀନ ପଟ୍ଟନାୟକଙ୍କ ସହ ଯୁବ ଭୋଟର ସବୁବେଳେ ରହିଛନ୍ତି । ସେପଟେ ବିଜେପି ମଧ୍ୟ ମୋଦୀଙ୍କ ସହ ଯୁବ ଭୋଟର ରହିଥିବା ଦାବି କରିଛି । ଅନ୍ୟ ପକ୍ଷରେ ଉଭୟ ବିଜେପି ଓ ବିଜେଡି ଯୁବବର୍ଗଙ୍କୁ ଉପେକ୍ଷା କରିଆସୁଥିବାରୁ ଏମାନେ କଂଗ୍ରେସ ସହ ରହିଥିବା କଂଗ୍ରେସ କହିଛି ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ଗତ ୩ ମାସ ହେଲା ଚାଲିଥିଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ଏବେ ଚୂଡାନ୍ତ ତାଲିକା ପ୍ରକାଶ ପାଇ ସାରିଥିବାବେଳେ କେବଳ ନିର୍ବାଚନକୁ ଅପେକ୍ଷା । ଯେଉଁଠି ନୂଆକରି ଭୋଟ୍ ଦେବାକୁ ଥିବା ଯୁବବର୍ଗ ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ଇଭିଏମ ସୁଇଚ୍ ଟିପିବେ ।