ନାଇଜେରିଆରେ ପ୍ରଳୟଙ୍କାରୀ ବନ୍ୟା: ୬ଶହରୁ ଅଧିକ ମୃତ, ୨୩ଲକ୍ଷ ଲୋକ ପ୍ରଭାବିତ

88

କନକ ବ୍ୟୁରୋ: ବନ୍ୟାଘେରରେ ନାଇଜେରିଆ । ଯୁଆଡ଼େ ଚାହିଁବ ପାଣି ଆଉ ପାଣି । ବନ୍ୟାଜଳ ଘେରିରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନାଇଜେରିଆରେ ବଡ଼ ବନ୍ୟା ଯୋଗୁଁ ୬ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଘର, ବାହାର, ହୋଟେଲ, ମଲ୍ ଠାରୁ ଆରମ୍ଭ କରି ସବୁଆଡ଼େ ବନ୍ୟା । ରାସ୍ତା ଘାଟ, ଘରସବୁ ପାଣିରେ ବୁଡ଼ିରହିଛି । ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଏହି ବନ୍ୟାରେ ପ୍ରାୟ ୨୩ ଲକ୍ଷରୁ ଅଧିକ ଲୋକ ବାସହରା ହୋଇପଡ଼ିଛନ୍ତି । ୨୦୧୨ ମସିହାରେ ସମାନ ଧରଣର ବନ୍ୟା ଯୋଗୁଁ ନାଇଜେରିଆବାସୀ ନାକେଦମ ହୋଇଥିଲେ । ବନ୍ୟା ଯୋଗୁଁ ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୨୧ଲକ୍ଷ ଲୋକ ବାସହରା ହୋଇଥିଲେ । ସେହିପରି ୨୦କୋଟି ଲୋକ ପ୍ରଭାବିତ ହୋଇଥିଲେ ।

ସେପ୍ଟେମ୍ବର ସୁଦ୍ଧା ନାଇଜେରିଆ ୩ଟି ବଡ ଧରଣର ବନ୍ୟା ଦେଖିସାରିଲାଣି । ଚଳିତବର୍ଷ ଜୁନ ଓ ଅଗଷ୍ଟମାସରେ ଦେଶରେ ଦୁଇଟି ବଡ ଧରଣର ବନ୍ୟା ହୋଇସାରିଥିବାବେଳେ ଏବେ ଆଉ ଏକ ପ୍ରଳଙ୍କାରୀ ବନ୍ୟା ସମସ୍ୟା ସୃଷ୍ଟି ହୋଇଛି ।

ବନ୍ୟା ବଢ଼ୁଥିବା ସହ ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ବଢ଼ୁଛି । ନାଇଜେରିଆରେ ବର୍ଷା ପ୍ରାୟତଃ ଜୁନ ମାସରେ ଆରମ୍ଭ ହୋଇଥାଏ । ହେଲେ ଏଥର ଅଗଷ୍ଟ ପରଠାରୁ ପ୍ରବଳ ବର୍ଷା ହେବା ଆରମ୍ଭ ହୋଇଯାଇଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଚାଷଜମିଗୁଡ଼ିକରେ ମଧ୍ୟ ପାଣି ପଶି ଯାଇଛି । ପ୍ରାୟତଃ ୨୭୨ ହଜାର ଏକରରୁ ଅଧିକ ଫସଲ ନଷ୍ଟ ହୋଇଥିବା ସୂଚନା ରହିଛି । ଫଳରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଆଗାମୀ ଦିନରେ ମରୁଡ଼ି ପରିସ୍ଥିତିର ଆଶଙ୍କା ଦେଖାଦେଇଛି ।

ନାଇଜେରିଆରେ ପ୍ରବଳ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୬ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ । ଅନ୍ୟପଟେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି ।