ପିଏଚସି ଠାରୁ ବଡ଼ ମେଡିକାଲ୍ ପର୍ଯ୍ୟନ୍ତ ସବୁଠି ଡାକ୍ତର ଅଭାବ । ରାଜ୍ୟରେ ଖାଲି ପଡ଼ିଛି ୫୬ ପ୍ରତିଶତରୁ ଅଧିକ ପଦବୀ । ଏପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବ କହିଲେ ରାଜ୍ୟରେ ଡାକ୍ତର ସରପ୍ଲସ୍

622

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମୀକ୍ଷା ଚାଲିଛି । ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ସେମାନଙ୍କ ରିପୋର୍ଟ କାର୍ଡ ଦେଉଛନ୍ତି । ଏହି କ୍ରମରେ ଆଜି ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ରିପୋର୍ଟ ଆସିଛି । ଯାହା ଆଶ୍ଚର୍ଯ୍ୟ କଲାଭଳି । ରାଜ୍ୟରେ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡିଥିବାବେଳେ ମନ୍ତ୍ରୀ ଓ ସଚିବ କହିଛନ୍ତି ବଳକା ଅଛନ୍ତି ଡାକ୍ତର । ଯାହାକୁ ନେଇ ପ୍ରଶ୍ନ ଉଠିଛି ।

ପିଏଚସି ଠାରୁ ଆରମ୍ଭ କରି ବଡ଼ ମେଡିକାଲ ପର୍ଯ୍ୟନ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବୀ ଖାଲି ପଡିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏପଟେ କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବ କହୁଛନ୍ତି ରାଜ୍ୟରେ ଡାକ୍ତର ସରପ୍ଲସ ବା ବଳକା ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ଅବସରରେ ଏପରି ସୁନେଲୀ ଚିତ୍ର ଦେଖାଇଛନ୍ତି ମନ୍ତ୍ରୀ ଓ ସଚିବ । ଅବଶ୍ୟ ପରେ ଏଥିରେ ସଂଶୋଧନ କରି କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ହୋଇଯିବ । ସେମାନଙ୍କର ଯୁକ୍ତି ହେଉଛି ଏବେ ପ୍ରତିବର୍ଷ ୨୨୦୦ ଏମବିବିଏସ୍ ଡାକ୍ତର ଓ ୮୨୬ ବିଶେଷଜ୍ଞ ଡାକ୍ତର ବାହାରୁଛନ୍ତି । ତେଣୁ ରାଜ୍ୟରେ ଆଉ ଡାକ୍ତର ଅଭାବ ରହିବ ନାହିଁ ।

ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ନର୍ସ ଏବଂ ଡାକ୍ତର ନଥିବାରୁ ସାଲେଇନ୍ ଏବଂ ଇଞ୍ଜେକସନ ଭଳି ସେବା ପାଇଁ ପଡୋଶୀ ରାଜ୍ୟ ଛତିଶଗଡ଼ର ହସ୍ପିଟାଲକୁ ଯିବାକୁ ନିବେଦନ କରାଯାଇଛି । ଏହାକୁ ନେଇ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ । ଏହାପରେ ଚେତିଥିଲା ପ୍ରଶାସନ । ଜଣେ ଡାକ୍ତର, ୩ ଜଣ ଷ୍ଟାଫ ନର୍ସ, ୨ ଜଣ ଏଏନଏମ ଦିଦିଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଗୋଟିଏ ଉଦାହରଣ ନୁହେଁ, ଡାକ୍ତର ନଥିବାରୁ ସିକ୍ୟୁରିଟି ଗାର୍ଡ ଇଂଜେକ୍ସନ୍ ଦେବା ଭଳି ଉଦାହରଣ ମଧ୍ୟ ରହିଛି ।

ଏବେ ନଜର ପକାଇବା । ରାଜ୍ୟରେ କେତେ ପଦବୀ ରହିଛି ଏବଂ କେତେ ଡାକ୍ତର ପଦ ଖାଲି ପଡିଛି ।

କେତେ ପଦବୀ, କେତେ ଖାଲି

  • ମୋଟ ଡାକ୍ତର ପଦବୀ – ୧୦,୭୭୪
  • ଡାକ୍ତର ଅଛନ୍ତି – ୪,୬୭୦
  • ଖାଲି ପଡ଼ିଛି – ୬,୧୦୪
  • ମୋଟ ପଦବୀର ୫୬.୬୫ ପ୍ରତିଶତ ଖାଲି

ଏହା ହେଉଛି ଚଳିତ ବର୍ଷ ବିଧାନସଭାରେ ସରକାର ଦେଇଥିବା ତଥ୍ୟ । କେବଳ ଏତିକି ନୁହେଁ, ଏସସିବି, ଏମକେସିଜି, ଭିମସାର୍ ସମେତ ରାଜ୍ୟର ୧୦ଟି ସରକାରୀ ମେଡିକାଲ କଲେଜରେ ମଧ୍ୟ ଖାଲି ପଡିଛି ପଦବୀ ।

ସରକାରୀ ମେଡିକାଲ୍ କଲେଜର ସ୍ଥିତି

  • ପ୍ରଫେସର ପଦବୀ – ୨୯୦
  • ଖାଲି ପଡିଛି – ୧୦୧
  • ଆସୋସିଏଟ୍ ପ୍ରଫେସର ପଦବୀ – ୪୬୨
  • ଖାଲି ପଡିଛି – ୧୮୦
  • ଆସିଷ୍ଟାଣ୍ଟ ପ୍ରଫେସର୍ ପଦବୀ – ୮୭୪
  • ଖାଲି ପଡିଛି – ୧୪୨

ସବୁଠି ଡାକ୍ତର ଅଭାବ ଥିବା ବେଳେ ରାଜ୍ୟରେ ଡାକ୍ତର ସରପ୍ଲସ୍ କହିବା କେତେ ଦୂର ଠିକ୍, ଏ ନେଇ ପ୍ରଶ୍ନ ଉଠିଛି ।