କନକ ବ୍ୟୁରୋ : ହିତାଧିକାରୀ ଚୟନରେ ପାତରଅନ୍ତର ପ୍ରତିବାଦରେ ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଜାରି ରହିଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୋଚ୍ଛା, ସିଂହାରୀ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ବିଗତ ୧୧ତାରିଖରୁ ଗଣ ଧାରଣା ଚାଲିଥିଲା । କିନ୍ତୁ ପ୍ରଶାସନ ଦାବୀ ପୂରଣ ନ କରିବାରୁ ଆଜି ସକାଳ ୧୦ଟାରୁ ଆମରଣ ଅନଶନ ଚଳାଇଛନ୍ତି ପ୍ରାୟ ୫୦ଜଣ ହିତାଧିକାରୀ ।

Advertisment

କିଛି ଅସାଧୂ ସରକାରୀ କର୍ମଚାରୀଙ୍କ ଖଳବୁଦ୍ଧି ଯୋଗୁଁ ପ୍ରକୃତ ହିତାଧିକାରୀମାନେ ଆବାସ ଗୃହ ପାଇବାରୁ ବଞ୍ଚିତ ହୋଇଥିବା ବେଳେ କିଛି ଧନିକ ଶ୍ରେଣୀର ଲୋକମାନେ ଗରିବଙ୍କ ଆବାସ ଘର ହାତେଇଥିବା ଅଭିଯୋଗ ହୋଇଛି । ଏଣୁ ମରାଡୁଗୋଚ୍ଛା ସରପଞ୍ଚ ମନମୋହନ ସାହୁ ଏବଂ ପୂର୍ବତନ ସମିତିସଭ୍ୟ ମିତ୍ରବ୍ରତ ମିଶ୍ରଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣ ହିତାଧିକାରୀ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଯେତେଦିନ ପର୍ଯ୍ୟନ୍ତ ଦାବି ପୂରଣ ନ ହେବ ଅନଶନ ଲାଗି ରହିବ ବୋଲି ହିତାଧିକାରୀମାନେ ପ୍ରକାଶ କରିଛନ୍ତି ।