ବିଷ ବଳୟରେ ରାଜଧାନୀ ! ପ୍ରଦୂଷଣ କମାଇବାକୁ ଦୁଇ ଦିନରେ ସିଞ୍ଚନ ହେଲାଣି ୫ ଲକ୍ଷ ଲିଟରରୁ ଅଧିକ ଜଳ ।

334

କନକ ବ୍ୟୁରୋ : ଧୂଳି ବସାଇବା ପାଇଁ ଗତ ଦୁଇ ଦିନ ମଧ୍ୟରେ ୧୩ଟି ଅଧିକ ପ୍ରଦୂଷିତ ଅଞ୍ଚଳରେ ପାଞ୍ଚ ଲକ୍ଷ ଲିଟର୍‌ରୁ ଅଧିକ ପାଣି ସିଞ୍ଚନ ହୋଇଥିବା କଥା ରବିବାର ଦିନ ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ କହିଛନ୍ତି । ସହରରେ ଧୂଳି ପ୍ରଦୂଷଣରେ ବାଧା ଦେବାକୁ ଦିଲ୍ଲୀ ସରକାର ଆଦେଶ ଦେବା ପରେ ଶନିବାର ଦିନ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ରୋହିଣୀ, ଓଖ୍‌ଲା ଫେଜ୍‌-ଟୁ, ପଞ୍ଜାବୀ ବାଗ, ଆନନ୍ଦ ବିହାର, ବିବେକ ବିହାର, ଓ୍ଵାଜିରପୁର, ଜାହାଙ୍ଗିରପୁର, ଆର୍‌କେ ପୁରମ୍‌, ବଓ୍ଵାନା, ନରେଲା, ମୁଣ୍ଡକା ଏବଂ ମାୟାପୁରୀ ଆଦି ୧୩ଟି ଅଧିକ ପ୍ରଦୂଷିତ ଅଞ୍ଚଳରେ ଜଳ ସିଞ୍ଚନ କରାଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ସ୍ଥାନଗୁଡ଼ିକୁ ଚିହ୍ନଟ କରିଥିଲା ।

ମୁଖ୍ୟ ଅଗ୍ନିଶମ ଅଧିକାରୀ ଅତୁଳ ଗର୍ଗ କହିଛନ୍ତି: ଶନି ଓ ରବିବାର ମଧ୍ୟରେ ଅଗ୍ନିଶମ ବିଭାଗ ୪୦୦ରୁ ଅଧିକ ଅଗ୍ନିଶମ ସେବା କର୍ମଚାରୀ ମୁତୟନ କରି ଚିହ୍ନିତ ସ୍ଥାନ ଗୁଡ଼ିକରେ ପ୍ରଦୂଷଣ ଦମନ ଲାଗି ପାଞ୍ଚ ଲକ୍ଷ ଲିଟରରୁ ଅଧିକ ଜଳ ସିଞ୍ଚନ କରିଛନ୍ତି । ସେ କହିଛନ୍ତି ଯେ ଶନିବାର ଦିନ ୨୦ଟି ଦମକଳ କାମରେ ନିୟୋଜିତ କରାଯାଇଥିଲା । ପରେ ପୁଣି ଆହୁରି କେତୋଟି ମୁତୟନ କରାଗଲା ।