କନକ ବ୍ୟୁରୋ : ସାରା ଦେଶରେ ଅଦାଲତଗୁଡିକରେ ପଡି ରହିଥିବା ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ଏବେ ସଂସଦରେ ଏହି ପ୍ରସଙ୍ଗ ଉଠିଥିଲା । ଏନେଇ ଆଇନମନ୍ତ୍ରୀ ଅର୍ଜୁନରାମ ମେଘଓବାଲ ଲୋକସଭାରେ କହିଛନ୍ତି କି ଭାରତୀୟ ଅଦାଲତଗୁଡିକରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୫କୋଟିରୁ ଅଧିକ ମାମଲା ପଡି ରହିଛି । କେବଳ ସୁପ୍ରିମକୋର୍ଟରେ ୮୦ ହଜାରରୁ ଅଧିକ ମାମଲା ପଡି ରହିଥିବା କଥା ଆଇନମନ୍ତ୍ରୀ କହିଛନ୍ତି ।
ସଂସଦରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ମେଘାୱାଲ କହିଛନ୍ତି କି ଡିସେମ୍ବର ୧ ସୁଦ୍ଧା ଅଦାଲତଗୁଡିକରେ ୫,୦୮,୮୫,୮୫୬ ମାମଲା ପଡି ରହିଛି । ଏହା ମଧ୍ୟରୁ ୬୧ ଲକ୍ଷ ମାମଲା କେବଳ ହାଇକୋର୍ଟଗୁଡିକରେ ପଡି ରହିଛି । ସେପଟେ ଜିଲ୍ଲା ଓ ଅଧିନସ୍ଥ ଅଦାଲତରେ ପଡି ରହିଥିବା ମାମଲା ସଂଖ୍ୟା ୪.୪୬ କୋଟି ।
ନ୍ୟାସନାଲ ଜୋଡିସିଆଲ ଡାଟା ଗ୍ରୀଡରେ ଥିବା ତଥ୍ୟ ମୁତାବକ ଜୁଲାଇ ୧୪ ତାରିଖ ସୁଦ୍ଧା ହାଇକୋର୍ଟଗୁଡିକରେ ୬୦,୬୨,୯୫୩ ଓ ଜିଲ୍ଲା ଅଦାଲତଗୁଡିକରେ ୪,୪୧, ୩୫,୩୫୭ ମାମଲା ପଡି ରହିଛି ।
ଏଭଳି ଭାବେ କୋର୍ଟରେ ପଡି ରହିଥିବା ମାମଲାଗୁଡିକର ବିଚାର କାହିଁକି ହୋଇପାରୁ ନାହିଁ ତାର ମୁଖ୍ୟ କାରଣ ଭାବେ ବିଚାରପତିଙ୍କ ଅଭାବ ସହ କୋର୍ଟରେ କର୍ମଚାରୀ ଓ ଭିତ୍ତିଭୂମିର ଅଭାବକୁ ଦର୍ଶାଯାଉଛି । ଏହାସହ ଅଭିଯୁକ୍ତ ବା ଅଭିଯୋଗକାରୀ ସାକ୍ଷୀ ଯୋଗାଡ କରି ନ ପାରିବା ମଧ୍ୟ ଏକ ପ୍ରମୁଖ କାରଣ ।
ସରକାରଙ୍କ ମୁତାବକ ଆଦଲତରେ ମାମଲାର ବିଚାର ପାଇଁ ପୋଲିସ, ଓକିଲ, ଯାଂଚ ଏଜେନ୍ସ ଓ ସାକ୍ଷୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । ହେଲେ ଏହି ଲୋକମାନଙ୍କ ମଧ୍ୟରୁ କେହି ଯଦି କାର୍ଯ୍ୟରେ ବିଳମ୍ବ କରେ ତେବେ ମାମଲା ଗଡି ଚାଲିବ ।