ମିଳିଲାନି ମନରେଗା ମଜୁରୀ : ଗାଁ ଛାଡିଲେ ୪୦ରୁ ଅଧିକ ଶ୍ରମିକ ପରିବାର

66

କନକ ବ୍ୟୁରୋ : ମିଳିଲାନି ମନରେଗା ମଜୁରୀ । ୬ ମାସ ପର୍ଯ୍ୟନ୍ତ ଅପେକ୍ଷା କଲେ । ଶେଷରେ ନିରାଶ ହୋଇ ଗାଁ ଛାଡିଲେ ୪୦ରୁ ଅଧିକ ଶ୍ରମିକ ପରିବାର । ଆନ୍ଧ୍ର ଚାଲିଗଲେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ପଂଚାୟତରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ୪୦ରୁ ଅଧିକ ଶ୍ରମିକ ପରିବାର ସହ ଆନ୍ଧ୍ରର ସାଲୁରରେ ପହଂଚି ଯାଇଥିଲେ । ଏତେ ସଂଖ୍ୟାରେ ଲୋକ ସାଲୁର ସହରରେ ପହଂଚିବା ଆନ୍ଧ୍ର ପୋଲିସକୁ ମଧ୍ୟ ଚକିତ କରିଥିଲା । ସନ୍ଦେହରେ ପୋଲିସ ସେମାନଙ୍କୁ ପଚରାଉଚରା ଆରମ୍ଭ କରିଥିଲା । ସମସ୍ତେ ଦାଦନ ଶ୍ରମିକ ବୋଲି ଜାଣିବାକୁ ପାଇଥିଲା ପୋଲିସ ।

ଗାଁରେ କାମ କରି ମଜୁରି ନପାଇ ଗାଁ ଛାଡିଥିବା ଜଣାପଡ଼ିଥିଲା । ଏତେ ଶ୍ରମିକ ଗାଁ ଛାଡିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏମାନଙ୍କୁ ଦଲାଲ ପ୍ରଲୋଭିତ କରି ନେଇଛି ନା ଶ୍ରମିକମାନେ ସ୍ୱଇଚ୍ଛାରେ ଯାଇଛନ୍ତି ତାହା ତଦନ୍ତ ସାପେକ୍ଷ । ଜିଲ୍ଲା ପ୍ରଶାସନ ବି ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହୋଇଛି । ଜଣେ ଶ୍ରମିକଙ୍କ ପିଛା ହଜାର ହଜାର ଟଙ୍କା ବାକି ପଡ଼ିଛି । ଟଙ୍କା କେବେ ମିଳିବ ଓ କେମିତି ମିଳିବ ସେମାନେ ଜାଣି ନାହାନ୍ତି । ରୋଜଗାରର ଅନ୍ୟ କୌଣସି ପନ୍ଥା ନଥିବାରୁ ରୋଜଗାର ସନ୍ଧାନରେ ରହିଥିଲେ । ରାଜ୍ୟ ବାହାରେ ଦୈନିକ ମଜୁରି ୬୦୦ ଟଙ୍କା ମିଳିବ ଶୁଣି ଆନ୍ଧ୍ର ଚାଲି ଆସିଥିବା କହିଛନ୍ତି ।