କନକ ବ୍ୟୁରୋ: ଉତରାଖଣ୍ଡ, ଉତରକାଶୀରେ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଦ୍ୱିତୀୟ ଦିନ ପାଇଁ ଉଦ୍ଧାର କାମ ଜାରି ରହିଛି । ଏବେ ବି ଫସିରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ସେମାନଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଚାଲିଛି । ଜୋରଦାର ହୋଇଛି ଅଭିଯାନ । ମାଟି ଓ ପଥର ହଟାଇବାକୁ ବଡ ବଡ ବୁଲଡୋଜର ଲଗାଯାଇଛି । ଟନେଲର ପ୍ରାୟ ୬୦ ମିଟର ଅଂଶ ଭାଙ୍ଗି ପଡିବା ଯୋଗୁଁ ଭିତରେ କାମ କରୁଥିବା ୪୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି ।

Advertisment

ଉତ୍ତରାଖଣ୍ଡ ଉତ୍ତରକାଶୀରେ ନିର୍ମାଣାଧୀନ ସୁଡଙ୍ଗ ଭୁଷୁଡି ପଡିବା ପରେ, ଏ ହେଉଛି ଦ୍ୱିତୀୟ ଦିନରେ ଉଦ୍ଧାର କାର୍ଯ୍ୟର ଦୃଶ୍ୟ । ସୁଡଙ୍ଗ ଭିତରେ ଫସି ରହିଥିବା ୮ଟି ରାଜ୍ୟର ୪୦ରୁ ଅଧିକ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜୋରଦାର ହୋଇଛି ଅଭିଯାନ । ବଡ ବଡ ବୁଲଡୋଜର ସାହାଯ୍ୟରେ ମାଟି ଓ ପଥର ଅତଡା ହଟାଇବାକୁ ଉଦ୍ୟମ ଜାରି ରହିଛି । ବର୍ତମାନ ପର୍ଯ୍ୟନ୍ତ ସୁଡଙ୍ଗର ୨୦ ମିଟର ଯାଏଁ ଧସି ପଡିଥିବା ମାଟି, ପଥରକୁ ହଟା ଯାଇଥିବାବେଳେ, ଶ୍ରମିକଙ୍କ ପାଖରେ ପହଂଚିବାକୁ ଆହୁରି ୪୦ ମିଟର ଭଗ୍ନାବଶେଷ ହଟାଇବାକୁ ପଡିବ । ଆପଣଙ୍କ ଟିଭି ସ୍କ୍ରିନରେ ବ୍ରହ୍ମକମଳ ଓ ଯମୁନେତ୍ରୀ ଜାତୀୟ ରାଜପଥରେ ସିଲକ୍ୟାରା ସୁଡଙ୍ଗ ଭୁଷୁଡି ପଡିବାର ଏକ ପ୍ରତିକାତ୍ମକ ଚିତ୍ର । ପ୍ରାୟ ସାଢେ ୪ କିଲୋମିଟର ବ୍ୟାପୀ ଏହି ସୁଡଙ୍ଗର ଆଉ ମାତ୍ର ୪୦୦ ମିଟର ନିର୍ମାଣ ବାକି ରହିଥିବାବେଳେ ରବିବାର ଭୁଷୁଡି ପଡିଥିଲା ଏକ ଅଂଶ । ପ୍ରାୟ ୬୦ ମିଟର ଅଂଶ ଭାଙ୍ଗି ପଡିବା ଫଳରେ ଭିତରେ କାମ କରୁଥିବା ୪୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି । ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଥିବା କହିଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଆଶ୍ୱସ୍ତିର କଥା ହେଉଛି ଭିତରେ ଫସିରହିଥିବା ଶ୍ରମିକ ସୁରକ୍ଷିତ ଥିବା ଜଣାପଡିଛି । ୱାକିଟକିରେ ସୁଡ଼ଙ୍ଗରେ ଫସିରହିଥିବା ଶ୍ରମିକଙ୍କ ସହ ଯୋଗାଯୋଗ କରାଯାଇଛି । ପାଇପ ଜରିଆରେ ସେମାନଙ୍କ ନିକଟକୁ ଖାଦ୍ୟ ପହଂଚିଛି । ସୁଡ଼ଙ୍ଗ ଭିତରେ ଅକ୍ସିଜେନ୍ କମ୍ ଥିବାରୁ ପାଇପ୍ ଜରିଆରେ ଯୋଗାଇ ଦିଆଯାଉଛି । ଉଦ୍ଧାର କାର୍ଯ୍ୟରେ ଉତରାଖଣ୍ଡ ପୋଲିସ ସମେତ ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଯବାନଙ୍କୁ ନିୟୋଜିତ କରାଯାଇଛି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପୋଲିସ ପ୍ରଶାସନର ପ୍ରାଥମିକତା ହୋଇଛି ।

କେନ୍ଦ୍ର ସରକାରଙ୍କ ଚାରିଧାମ୍ ରୋଡ୍ ପ୍ରୋଜେକ୍ଟ ଅନ୍ତର୍ଗତ ଏହି ଟନେଲ ବା ସୁଡଙ୍ଗର ନିର୍ମାଣ କରାଯାଉଛି । ଏହା ଫଳରେ
- ଉତ୍ତରକାଶୀ ଓ ଯମୁନେତ୍ରୀ ମଧ୍ୟରେ ଦୂରତା କମିବ
- ସାଢ଼େ ୪ କିଲୋମିଟର ଏହି ଟନେଲର ଆଉ ମାତ୍ର ୪୦୦ ମିଟର କାମ ବାକି ଅଛି
- ୨୦୧୮ରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା
- ୨୦୨୨ ସୁଦ୍ଧା ଶେଷ କରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଥିଲା
- ନିର୍ମାଣ କାମ ସଂପୂର୍ଣ୍ଣ ହୋଇନଥିବା ବେଳେ ଗୋଟିଏ ଅଂଶ ଭଶୁଡ଼ି ପଡ଼ିଛି