ରାହୁଲ ଗାନ୍ଧିଙ୍କ କାର୍ଯ୍ୟକୁ ନେଇ କେତେ ପ୍ରତିଶତ ଲୋକ ସନ୍ତୁଷ୍ଟ, କେତେ ଅସନ୍ତୁଷ୍ଟ? ଜାଣନ୍ତୁ କଣ କହୁଛି ଏହି ସର୍ଭେ ରିପୋର୍ଟ

232

ଏବିପି ସି-ଭୋଟର ସ‌ର୍ଭେ ଅନୁସାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟରେ ୪୦ ପ୍ରତିଶତରୁ ଅଧିକ ଲୋକ ଆଦୌ ଖୁସି ନୁହନ୍ତି। ସୂଚନାଯୋଗ୍ୟ ଯେ, ୨୦୨୨ ମସିହା ପ୍ରାରମ୍ଭରେ ପାଞ୍ଚଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ୫ଟି ରାଜ୍ୟରେ ୪୦ ପ୍ରତିଶତରୁ ଅଧିକ ଲୋକ ରାହୁଲ ଗାନ୍ଧିଙ୍କ କାର୍ଯ୍ୟରେ ଆଦୌ ସନ୍ତୁଷ୍ଟ ନ ଥିବା ପ୍ରକାଶ କରିଛନ୍ତି। ସର୍ଭେ ଅନୁସାରେ ୪୦.୫ ପ୍ରତିଶତ ଲୋକ ରାହୁଲଙ୍କ ଉପରେ ‘ବିଲକୁଲ ସନ୍ତୁଷ୍ଟ ନୁହନ୍ତି’, ୧୮.୫ ପ୍ରତିଶତ ଲୋକ ‘ଖୁବ୍ ସନ୍ତୁଷ୍ଟ’, ୨୦.୨ ପ୍ରତିଶତ ଲୋକ ‘କିଛି ପରିମାଣରେ ସନ୍ତୁଷ୍ଟ’। ତା’ଛଡ଼ା ୨୧ ପ୍ରତିଶତ ଲୋକ ‘ଜଣାନାହିଁ, କହିପାରିବୁ ନାହିଁ’ ବୋଲି ଉତ୍ତର ଦେଇଥିଲେ। ଏହି ସର୍ଭେରେ ୯୮,୧୨୧ ଲୋକ ଭାଗ ନେଇଥିଲେ, ଯେଉଁମାନେ ନିର୍ବାଚନମୁଖୀ ୫ଟି ରାଜ୍ୟର ୬୯୦ ବିଧାନସଭା ମଣ୍ଡଳୀର ଭୋଟର। ଏହି ସର୍ଭେ ସେପ୍ଟେମ୍ବର ୪ରୁ ଅକ୍ଟୋବର ୪ ମଧ୍ୟରେ ହୋଇଥିଲା। ଉତ୍ତରାଖଣ୍ଡରେ ସବୁଠୁ ଅଧିକ ଲୋକ ରାହୁଲଙ୍କ ଉପରେ ଖୁସି ନ ଥିବା କହିଥିଲେ।

କଂଗ୍ରେସ କ୍ଷମତାରେ ଥିବା ପଞ୍ଜାବର ୫୩.୧ ପ୍ରତିଶତ ଲୋକ ରାହୁଲଙ୍କ ଉପରେ ବିଲକୁଲ ଖୁସି ନୁହନ୍ତି। କେବଳ ୬.୭ ପ୍ରତିଶତ ଲୋକ ତାଙ୍କ ଉପରେ ଭାରି ଖୁସି ଏବଂ ୧୮.୯ ପ୍ରତିଶତ ଲୋକ କିଛି ପରିମାଣରେ ସନ୍ତୁଷ୍ଟ। ଏଥିରେ ରାଜ୍ୟର ୧୮,୬୪୨ ଲୋକ ଭାଗ ନେଇଥିଲେ। ଉତ୍ତରାଖଣ୍ଡରେ ସବୁଠୁ ଅଧିକ ୫୪.୧ ପ୍ରତିଶତ ଲୋକ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ କାର୍ଯ୍ୟରେ ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ। ୧୪.୭ ପ୍ରତିଶତ ପୂରା ସନ୍ତୁଷ୍ଟ। ଏହି ସର୍ଭେରେ ରାଜ୍ୟର ୧୩,୯୭୫ ଜଣ ଲୋକ ଭାଗ ନେଇଥିଲେ। ମଣିପୁରରେ ୨୭.୪ ପ୍ରତିଶତ ଲୋକ ରାହୁଲଙ୍କ କାମରେ ବହୁତ ସନ୍ତୁଷ୍ଟ। ୨୧.୫ ପ୍ରତିଶତ କିଛି ପରିମାଣରେ ସନ୍ତୁଷ୍ଟ ଏବଂ ୪୨.୧ ପ୍ରତିଶତ ଆଦୌ ସନ୍ତୁଷ୍ଟ ନୁହନ୍ତି। ଉତ୍ତରପ୍ରଦେଶରେ ମୋଟ ୪୬.୨ ପ୍ରତିଶତ ଲୋକ କଂଗ୍ରେସ ନେତାଙ୍କ ଉପରେ ଆଦୌ ସନ୍ତୁଷ୍ଟ ନୁହନ୍ତି। ୧୩.୩ ପ୍ରତିଶତ କହିଲେ ଯେ ସେମାନେ ବହୁତ ସନ୍ତୁଷ୍ଟ। ଏହି ସର୍ଭେରେ ରାଜ୍ୟର ୫୦,୯୩୬ ଜଣ ଲୋକ ଭାଗ ନେଇଥିଲେ। ଗୋଆରେ ୧୬.୧ ପ୍ରତିଶତ ଲୋକ ରାହୁଲଙ୍କ କାର୍ଯ୍ୟଶୈଳୀ ଉପରେ ପୂରା ଖୁସି ଏବଂ ୨୩.୨ ପ୍ରତିଶତ ଲୋକ କିଛି ପରିମାଣରେ ସନ୍ତୁଷ୍ଟ ବୋଲି କହିଥିଲେ। ଏହି ସର୍ଭେରେ ରାଜ୍ୟର ୧୩,୦୪୮ ଲୋକ ଭାଗ ନେଇଥିଲେ।