୨୦୧୯ରେ ଦେଶରେ ଦୁର୍ଘଟଣା ନେଇଛି ୪ ଲକ୍ଷ ୨୧ ହଜାର ଜୀବନ । ଏନସିଆରବି ବାର୍ଷିକ ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ । 

79

କନକ ବ୍ୟୁରୋ : ୨୦୧୯ରେ ଭାରତରେ ୪ ଲକ୍ଷ ୨୧ ହଜାର ୧୦୪ ଜଣ ଲୋକ ବିଭିନ୍ନ ପ୍ରକାରର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି)ର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ୪ ଲକ୍ଷ ୨୧ ହଜାର ୧୦୪ ମୃତକଙ୍କ ମଧ୍ୟରୁ ୧ଲକ୍ଷ ୫୪ ହଜାର ୭୩୨ ଜଣ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ୨୦୧୯ରେ ମୋଟ ୪ ଲକ୍ଷ ୩୭ ହଜାର ୩୯୬ ଟି ସଡ଼କ ଦୁର୍ଘଟଣା ରିପୋର୍ଟ ହୋଇଥିବାବେଳେ ସେଥିରେ ୪ଲକ୍ଷ ୩୯ ହଜାର ୨୬୨ ଜଣ ଆହତ ହୋଇଥିଲେ ଓ ୧ଲକ୍ଷ ୫୪ ହଜାର ୭୩୨ ଜଣ ମୃତ୍ୟୁବରଣ କରିଥିଲେ । ମୋଟ ସଡ଼କ ଦୁର୍ଘଟଣା ମଧ୍ୟରୁ ୩୮ ପ୍ରତିଶତ ଦୁଇଚକିଆ ଯାନରେ ହୋଇଥିବାବେଳେ ୧୪.୬ ପ୍ରତିଶତ ଦୁର୍ଘଟଣା ଟ୍ରକ ମାଧ୍ୟମରେ ହୋଇଛି । ପ୍ରାୟ ୫୯.୬ ପ୍ରତିଶତ ସଡ଼କ ଦୁର୍ଘଟଣା ଦ୍ରୁତ ଗାଡ଼ିଚାଳନା ଯୋଗୁଁ ହୋଇଥିବା ଜଣାଯାଇଛି । ସେହପରି ପ୍ରାୟ ୫୯.୫ ପ୍ରତିଶତ ସଡ଼କ ଦୁର୍ଘଟଣା ଗ୍ରାମାଞ୍ଚଳରେ ହୋଇଥିବାବେଳେ ୪୦.୫ ପ୍ରତିଶତ ଦୁର୍ଘଟଣା ସହରାଞ୍ଚଳରେ ହୋଇଛି ।

ଅନ୍ୟପକ୍ଷରେ ୨୦୧୯ରେ ଦେଶରେ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ୮୧୪୫ ଜଣ ମୃତ୍ୟୁବରଣ କରିଥିଲେ । ଏହା ମଧ୍ୟରୁ ୩୫.୩ ପ୍ରତିଶତ ମୃତ୍ୟୁ ବଜ୍ରପାତ ଯୋଗୁଁ, ୧୫.୬ ପ୍ରତିଶତ ମୃତ୍ୟୁ ଅଂଶୁଘାତ ଓ ୧୧.୬ ପ୍ରତିଶତ ମୃତ୍ୟୁ ବନ୍ୟା ଯୋଗୁଁ ହୋଇଛି ।