ଗଞ୍ଜେଇ ବେପାରୀଙ୍କ ସାଢେ ୪ କୋଟିରୁ ଅଧିକ ସମ୍ପତି: ସ୍କୁଟିରେ ଗଞ୍ଜେଇ ଓ ଅଫିମ ନେଇ ଯାଉଥିବା ବେଳେ ଧରାପଡିଥିଲେ 

406

କନକ ବ୍ୟୁରୋ: କଥାରେ ଅଛି ଅଧର୍ମ ବିତ ବଢେ ବହୁତ, ଗଲା ବେଳେ ଯାଏ ମୂଳ ସହିତ । ଆଉ ଏହା ପ୍ରମାଣିତ ହୋଇଛି ଗଞ୍ଜାମ ଜିଲ୍ଲାର କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ ପଟ୍ଟନାୟକଙ୍କ କ୍ଷେତ୍ରରେ । ଗଞ୍ଜେଇ, ଭାଙ୍ଗ, ଅଫିମ ଭଳି ନିଶା ଦ୍ରବ୍ୟ ବେପାର ବେଆଇନ ଉପାୟରେ ଅର୍ଜନ କରିଥିବା କୋଟି କୋଟି ଟଙ୍କାର ସମ୍ପତିଙ୍କୁ ବ୍ୟାଜ୍ୟାପ୍ତି କରିଛି କେନ୍ଦ୍ରୀୟ ଅର୍ଥନୈତିକ ସଂସ୍ଥା । ୪ କୋଟି ଟଙ୍କାର ସୁନା, ରୂପା, ହୀରା ଅଳଙ୍କାର ସହ ପାୟ ୪୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତିକୁ କେନ୍ଦ୍ରୀୟ ଅର୍ଥନୈତିକ ସଂସ୍ଥା ବ୍ୟାଜ୍ୟାପ୍ତି କରିବ ବୋଲି ସୂଚନା ଦେଇଛନ୍ତି ଖଲ୍ଲିକୋଟ ଥାନା ଅଧିକାରୀ ଜଗାନ୍ନାଥ ମଲ୍ଲିକ  ।

ସରକାରଙ୍କ ଅର୍ଥ ମନ୍ତ୍ରାଳୟର ରାଜସ୍ୱ ବିଭାଗ କମ୍ପିଟେଂଟ ଅଥରଟି ଥିବା ରଜନୀକାନ୍ତ , ତା ଭାଇ କମଳାକାନ୍ତ ପଟ୍ଟନାୟକ , ସରୋଜକାନ୍ତ ପଟ୍ଟନାୟକ , ଭଉଣୀ ସ୍ୱର୍ଣ୍ଣଲତା ପଟ୍ଟନାୟକ, ମାଆ ହରପ୍ରିୟା ପଟ୍ଟନାୟକଙ୍କ ନାମରେ  ଖୋଜାପଲ୍ଲୀ ଓ ମାଳ ଖୋଜାପଲ୍ଲୀ ରେ ଥିବା ୩୨ ଲକ୍ଷ ୭ ହଜାର ୩୦୪ ଟଙ୍କାର ଜମି , ବ୍ୟାଙ୍କରେ ଜମା ଥିବା ୫ ଲକ୍ଷ ୨୫ ହଜାର ୮୭୯ ଟଙ୍କା ୬୭ ପଇସା, ୩ ଲକ୍ଷ ୫ ହଜାର ଟଙ୍କାର ଥିବା ୪ ଟି ଏଲଆଇସି ପଲିସି ଜବତ କରାଯାଇଛି । ଏଥିସହିତ ତାଙ୍କ ଘରୁ ଜବତ କରାଯାଇଥିବା ୪ କୋଟି ୫୨ ଲକ୍ଷ ୧୪ ହଜାର ସୁନା ଅଳଙ୍କାରକୁ ଜବତ କରଯାଇଛି । ଗତ ଅକ୍ଟୋବର ମାସରେ ରଜନୀକାନ୍ତଙ୍କ ସ୍କୁଟିରେ ଯାଉଥିବା ବେଳେ ଚଢାଉ କରି ପୋଲିସ ୩୫ କେଜି ୧୯୦ ଗ୍ରାମ ଗଞ୍ଜେଇ , ୧୦ କେଜି ୧୧୦ ଗ୍ରାମ ଭାଙ୍ଗ, ୧୦ କେଜି ଅଫିମ ସହ ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କେଜି ୫୯୬ ଗ୍ରାମ ସୁନା ଗହଣା ଜବତ କରିଥିଲା । ଏହି ଜବତ ଜବତି ସମ୍ପତିର ମୁଲ୍ୟ ୧୦ କୋଟି ହେବ ବୋଲି ଆକଳନ କରାଯାଇଥିଲା  । ତେବେ ରଜନୀକାନ୍ତର ସମ୍ପତି ବିଷୟରେ ଅଧିକ ତଦନ୍ତ ପାଇଁ କେନ୍ଦ୍ରୟ ଅର୍ଥନୈତିକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା  ।