ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ… । ଜରିମାନା ବାବଦକୁ ୩୮ କୋଟିରୁ ଅଧିକ ଟଙ୍କା ହୋଇଛି ଆଦାୟ, ବିଧାନସଭାରେ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ ।

604

କନକ ବ୍ୟୁରୋ : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ବ୍ୟବସ୍ଥା କଡାକଡି ହୋଇଛି । ଖାସକରି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ହେଲମେଟ ଚେକିଂ ଠାରୁ ଆରମ୍ଭ କରି ରଙ୍ଗ ସାଇଡ ଡ୍ରାଇଭ, ମୋବାଇଲରେ କଥା ହୋଇ ଗାଡି ଚଳାଇବା ଭଳି ଘଟଣାରେ ଗାଡି ଚାଳକଙ୍କ ଠାରୁ ନୂଆ ମୋଟର ଯାନ ଆଇନ ଆଧାରରେ ହଜାର ହଜାର ଟଙ୍କାର ଜରିମାନା ଆଦାୟ କରାଯାଉଛି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଗତ ୧ ସେପ୍ଟେମ୍ବର ୨୦୧୯ରୁ ୩୧ ଜାନୁଆରୀ ୨୦୨୦ ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୩୮ କୋଟି ୬୭ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ବାବଦରେ ପରିବହନ ବିଭାଗ ଆଦାୟ କରିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଗତ ସେପ୍ଟେମ୍ବର ୧ରୁ ଚଳିତ ଜାନୁଆରୀ ୩୧ ମଧ୍ୟରେ ୩୮ କୋଟିରୁ ଅଧିକ ଟଙ୍କା ଜରିମାନା ବାବଦକୁ ପରିବହନ ବିଭାଗ ଆଦାୟ କରିଛି । ସେହିଭଳି ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରଠାରୁ ଗତ ଜାନୁଆରୀ ୩୧ ମଧ୍ୟରେ ୪ ଲକ୍ଷ ୧୩ ହଜାର ୯୯୪ ଜଣ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ୨ ଲକ୍ଷ ୮୭ ହଜାର ୯୩୨ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।