ମହାରାଷ୍ଟ୍ରର ସରକାରୀ ଡାକ୍ତରଖାନା ପାଲଟିଛି ମୃତ୍ୟୁଯନ୍ତା । ୩୬ଘଣ୍ଟାରେ ୧୨ଜଣ ଶିଶୁଙ୍କ ସମେତ ୩୧ରୁ ଅଧିକ ମୃତ

132

କନକ ବ୍ୟୁରୋ: ମହାରାଷ୍ଟ୍ର ନାନ୍ଦେଡ ଜିଲ୍ଲାର ସରକାରୀ ଡାକ୍ତରଖାନାରେ ଶଯ୍ୟାରେ ରୋଗୀ ପଡି ଛଟପଟ ହେଉଛନ୍ତି ତ ପୁଣି କେଉଁଠି ଚାଲିଯାଇଛି ଜୀବନ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ୨୪ ଘଣ୍ଟାରେ ୨୪ଜଣ ଶିଶୁଙ୍କ ମୃତ୍ୟୁ ହେବା ସହ ୩୬ ଘଣ୍ଟାରେ ଯାଇଛି ୩୦ରୁ ଅଧିକ ଜୀବନ । ଏହା ପଛର କାରଣ ହେଉଛି ରୁଗଣ ସ୍ୱାସ୍ଥ୍ୟ ସେବା । ଅଭିଯୋଗ ଅନୁସାରେ ରୋଗୀଙ୍କୁ ମିଳୁନି ଉପଯୁକ୍ତ ଚିକିତ୍ସା । ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସୁବିଧା ନମିଳିବା ଯୋଗୁଁ ରୋଗୀଙ୍କ ଜୀବନ ଚାଲିଯାଉଛି । ସେପଟେ ମେଡିକାଲ କର୍ତୁପକ୍ଷ ଅଭିଯୋଗକୁ ଖଣ୍ଡନ କରି ଦୋଷ ଲୁଚାଇବାକୁ ଚେଷ୍ଟା କରୁଛି ।

  • ରୋଗୀଙ୍କ ମୃତ୍ୟୁ ନେଇ ରାଜନୀତି
  • ସିନ୍ଦେ ସରକାରଙ୍କୁ ସମାଲୋଚନା

ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜନୀତି ତେଜିଛି । ସରକାରଙ୍କ ଦ୍ୱାରା ଏହା ହତ୍ୟା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ରର ଟ୍ରିପଲ୍ ଇଞ୍ଜିନ ସରକାର ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଫଳ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସିନ୍ଦେ ସରକାରଙ୍କ ଇସ୍ତଫା ଦାବି କରିଛନ୍ତି ଏନସିପି ନେତ୍ରୀ ସୁପ୍ରିୟା ସୁଲୋ ସେପଟେ ଉଦ୍ଧବ ଗୋଷ୍ଠି ରାଜ୍ୟର ସ୍ୱାସ୍ଥ୍ୟସେବା ଉପରେ ପ୍ରଶ୍ନ ଉଠାଇଛି ।

ସେପଟେ ଘଟଣାର ତଦନ୍ତ ପାଇଁ ଏକ ୩ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ସୂଚନା ଅନୁସାରେ ଚଳିତ ବର୍ଷ ଡାକ୍ତରଖାନାର ଉନ୍ନତୀକରଣ ପାଇଁ ୧୨କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ଏପର୍ଯ୍ୟନ୍ତ ହସ୍ପିଟାଲକୁ ମିଳିଛି ମାତ୍ର ୪କୋଟି ଟଙ୍କା । ୨୦୨୩ ଅଗଷ୍ଟ ମାସରେ ଠାଣେର ଏକ ସରକାରୀ ଡାକ୍ତରଖାନାରେ ୧୮ ରୋଗୀଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।