ପିଓକେରେ ଡେରା ପକାଇଛନ୍ତି ୨୦୦ରୁ ୩୦୦ ଆତଙ୍କବାଦୀ, ଭାରତରେ ପଶିବାକୁ ଖୋଜୁଛନ୍ତି ସୁଯୋଗ । 

167

କନକ ବ୍ୟୁରୋ : ପଡୋଶୀ ପାକିସ୍ତାନରୁ ଆସିଲା ବଡ ଖବର । ଆତଙ୍କବାଦୀଙ୍କ ଆଡ୍ଡା କୁହାଯାଇଥିବା ପାକିସ୍ତାନରେ ଏବେ ପୁଣିଥରେ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଯାହା ଭାରତର ଚିନ୍ତା ବଢାଇଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପାକ୍ ଅଧିକୃତ କାଶ୍ମୀର ବା ପିଓକେରେ ଆତଙ୍କବାଦୀଙ୍କ ଗତିବିଧି ବଢିଥିବା କୁହାଯାଉଛି । ଏପରିକି ପିଓକେରେ ୨୦୦ରୁ ୩୦୦ ଆତଙ୍କବାଦୀ ଡେରା ପକାଇଥିବା ସୂଚନା ମିଳିଛି । ଯେଉଁମାନେ ସୁଯୋଗ ମିଳିବା ମାତ୍ରେ ଭାରତକୁ ପଶିବାକୁ ଚାହିଁ ବସିଛନ୍ତି ।  ଯାହା ଦର୍ଶାଉଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତ ବିପକ୍ଷରେ ସାଂଘାତିକ ଷଡଯନ୍ତ୍ର କରୁଛି ।

ଗୁଇନ୍ଦା ସୂଚନା ଅନୁଯାୟୀ, ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପିଓକେରେ ଆତଙ୍କୀ ଗତିବିଧି ପୂର୍ବ ଅପେକ୍ଷା ଅଧିକ ବଢିଯାଇଛି । ଏପରିକି ଆତଙ୍କବାଦୀଙ୍କୁ ଠୁଳ କରିବାକୁ ଆତଙ୍କୀ କ୍ୟାମ୍ପରେ ମଧ୍ୟ ବୃଦ୍ଧି ଘଟିଛି । ଆଉ ଏହା ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଛି ।

ଗୋଟିଏ ପଟେ ଆତଙ୍କବାଦୀ ମାନେ ପିଓକେ ଏକାଠି ହେବା ସହ ଭାରତକୁ ଅନୁପ୍ରବେଶ ପାଇଁ ସୁଯୋଗ ଖୋଜୁଥିବା ବେଳେ ଆଜି ଭାରତୀୟ ଯବାନଙ୍କୁ ବଡ ସଫଳତା ମିଳିଛି । ଉରୀ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ୩ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ନିପାତ କରିବା ସହ ୫ଟି ଏକେ-୪୭ ବନ୍ଧୁକ, ୭୦ଟି ଗ୍ରେନେଡ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ଭାରତୀୟ ଯବାନ ।