କାଳ ସାଜିଛି କରୋନାର ଦ୍ୱିତୀୟ ଲହର । କରୋନାରେ ଗଲାଣି ୩୦୦ରୁ ଅଧିକ ସାମ୍ବାଦିକଙ୍କ ଜୀବନ ।

300

କନକ ବ୍ୟୁରୋ : ଖବର ପଢ଼ୁପଢ଼ୁ, ଲେଖୁଲେଖୁ ବା ସଂଗ୍ରହ କରୁ କରୁ ଖବର ପାଲଟି ଯାଉଛନ୍ତି ସାମ୍ବାଦିକ । କରୋନା ଭୂତାଣୁର ଭୟାବହତା ନେଇ ଲୋକଙ୍କୁ ସତର୍କ କରିବା ହେଉ କି ଅସୁବିଧାରେ ପଡିଥିବା ଲୋକଙ୍କ ସମସ୍ୟାକୁ ଆଗକୁ ଆଣୁଥିବା ଏହି ସମ୍ମୁଖ ଯୋଦ୍ଧାଙ୍କର ପ୍ରତିଦିନ ମୃତ୍ୟୁ ହେଉଛି । ଯୁଦ୍ଧ ଚାଲିଛି, ଆଉ ଜଣେ ପରେ ଜଣେ ଯୋଦ୍ଧା ଟଳିପଡୁଛନ୍ତି । ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ସମ୍ମୁଖ ଯୋଦ୍ଧା ସାଜିଥିବା ସାମ୍ବାଦିକଙ୍କ ମୃତ୍ୟୁର ଖବର, ନିୟମିତ ବ୍ୟବଧାନରେ ଆସିବା ସମସ୍ତଙ୍କୁ ବିଚଳିତ କରିଦେଇଛି । ଆଉ ତାଠୁ ଅଧିକ ବିଚଳିତ କରୁଛି, ମୁଖ୍ୟକୁ ନେଇ ଆସିଥିବା ପରିସଂଖ୍ୟାନ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ କରୋନାରେ ମୋଟ୍ ୩୦୦ରୁ ଅଧିକ ସାମ୍ବାଦିକଙ୍କର ଜୀବନ ଗଲାଣି । ଖବର ସଂଗ୍ରହ କରୁ କରୁ ନିଜେ ଖବର ପାଲଟିଯାଉଛନ୍ତି ସାମ୍ବାଦିକ । କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ଦେଶ ଅନେକ ସାମ୍ବାଦିକଙ୍କୁ ହରାଇଛି ।

କାଳ ସାଜିଛି କରୋନାର ଦ୍ୱିତୀୟ ଲହର । ଅନେକ ଚିହ୍ନା ମୁହଁ ଏବଂ ପରିଚିତ ଚେହେରାଙ୍କୁ ଛଡ଼ାଇ ନେଇଛି କରୋନା । କରୋନାର ଦ୍ୱିତୀୟ ଲହରି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏପ୍ରିଲ ମାସରେ ଶତାଧିକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଗ୍ରାଫିକ୍ସ ‘ମିଡ଼ିଆ ୱାଚଡଗ’ର ତାଲିକା ଅନୁସାରେ କେବଳ ଏପ୍ରିଲ ମାସରେ ୧୨୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ।  ମୃତ୍ୟୁର ଏହି ସଂଖ୍ୟା ହୁଏତ ସମସ୍ତଙ୍କୁ ମର୍ମାହତ କରିବ । କିନ୍ତୁ କେବଳ ମର୍ମାହତ କଲେ ଚଳିବ ନାହିଁ । ବରଂ ଏହାର ପ୍ରତିକାର ପାଇଁ ସାମ୍ବାଦିକମାନଙ୍କୁ ଉଚ୍ଚସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରଶାସନ ଓ ସରକାର ଆଗେଇ ଆସିବା ଦରକାର ।