କନକ ବ୍ୟୁରୋ : ଜିଲ୍ଲାସ୍ତରୀୟ ସ୍କାଉଟ୍ ଗାଇଡ୍ ସମ୍ମିଳନୀରେ ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରଦର୍ଶିତ କରିଛନ୍ତି ଛାତ୍ରଛାତ୍ରୀ । ନିଜ ହାତରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିବା ସହିତ ଷ୍ଟଲ୍ ଲଗାଇ ଲୋକ ମାନଙ୍କୁ କରିଛନ୍ତି ଖାଦ୍ୟ ପରିବେଷଣ । ଆଉ ମେନ୍ୟୁରେ ରହିଥିଲା ଦେଶୀ ଓଡିଆ ଖାଦ୍ୟ ସାଙ୍ଗକୁ ଭେଜ୍ ଆଉ ନନଭେଜ୍ ଖାଦ୍ୟ । ତାସହିତ ବିକ୍ରି ହେଉଥିଲା ପନିପରିବା । ଯାହାର ମଜା ଉଠାଇଥିଲେ ସ୍କୁଲ କଲେଜର ଛାତ୍ରଛାତ୍ରୀ ସାଙ୍ଗକୁ ଅନେକ ସ୍ଥାନୀୟ ଲୋକେ ।
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ମହାବିଦ୍ୟାଳୟରେ ଆୟୋଜିତ ହୋଇଛି ସ୍କାଉଟ୍ ଗାଇଡ୍ ସମ୍ମିଳନୀ । ଏଥିରେ ଆୟୋଜିତ ହୋଇଛି ଖାଦ୍ୟ ଉତ୍ସବ । ଏହି ଉତ୍ସବରେ ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ ମାନେ ନିଜ ହାତରେ ପ୍ରାୟ ୩୦୦ରୁ ଅଧିକ ଦେଶୀ ଖାଦ୍ୟ ପ୍ରସ୍ତୁତ କରିବା ସହିତ ଉପସ୍ଥିତ ଲୋକ ମାନଙ୍କୁ ଖାଦ୍ୟ ପରିବେଷଣ କରିଥିଲେ । ଚକୁଳି, ମଣ୍ଡା, ଆରିଶା , କାକରା ପିଠା ପରି ବିଭିନ୍ନ ଆଇଟମ୍ ଥିବା ବେଳେ ଭେଜରେ ରହିଥିଲା ନିମ କଢ ଭଜା , ବାଇଗଣ ଭଜା , ପନିର , ସଜନାଛୁଇଁ । ସେହିପରି ନନଭେଜରେ ରହିଥିଲା କଙ୍କଡା , ଚିଙ୍ଗୁଡି , ଚିକେନ , ମାଛ ଇତ୍ୟାଦି । ପ୍ରସ୍ତୁତ ଖାଦ୍ୟକୁ ଖୁବ ସୁନ୍ଦର ଭାବରେ ସଜାଇ ଷ୍ଟଲରେ ରଖିଥିଲେ ଛାତ୍ରଛାତ୍ରୀ । ବୁଲିବାକୁ ଆସିଥିବା ଲୋକମାନଙ୍କୁ ଖାଇବାକୁ ମଧ୍ୟ ଦେଉଥିଲେ ।
ଏହି ଖାଦ୍ୟ ଉତ୍ସବରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଥିଲା ବିଭିନ୍ନ ରକମର ପଖାଳ ଭାତ । ଏଥିରେ ସାଂସ୍କୃୁତିକ କାର୍ଯ୍ୟକ୍ରମ ସାଙ୍ଗକୁ ଫ୍ୟାସନ ସୋର ମଧ୍ୟ ଆୟୋଜନ ହୋଇଥିଲା । ଖାଦ୍ୟ ସହିତ ପନିପରିବା ଦୋକାନ , ସାଇକେଲ ମରାମତି ଦୋକାନ , ସେଲୁନ୍ , ବେଲୁନ ଏବଂ ଚୁଡି ଦୋକାନ ମଧ୍ୟ ଦେଖିବାକୁ ମିଳିଥିଲା । ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲାପାଳ ଏବଂ ଏସପି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିିିଲେ ।
ଏଥିରେ ୯ ଗୋଟି ବ୍ଲକର ପ୍ରାୟ ୩୦ଟି ସ୍କୁଲରୁ ୩୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାରର ଇଭେଣ୍ଟର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ସହିତ ଶୃଙ୍ଖଳା ଏବଂ ଅନୁଶାସନ ଭବିଷ୍ୟତରେ ଭଲ ମଣିଷଟିଏ ହେବ ।