ବ୍ରହ୍ମଗିରିରେ ସିରିଜ୍ ବୋମାମାଡ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଳିଲା ୩୦ରୁ ଅଧିକ ଘର । ଫୁଟିଲା ୪୦ରୁ ଅଧିକ ବୋମା ।

117

କନକ ବ୍ୟୁରୋ: ବ୍ରହ୍ମଗିରିରେ ବୋମା ଫୁଟିଲା, ଘର ଜଳିଲା । ଏଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲା ଯେ କିଛି ଘଣ୍ଟା ଧରି କାହାରି ନିୟନ୍ତ୍ରଣରେ ନଥିଲା କୃଷ୍ଣପ୍ରସାଦ ବ୍ଲକର ନାଥପୁର ଗାଁ ନିକଟସ୍ଥ ଅଞ୍ଚଳ । ଉଭୟ ପଟରୁ ବୋମା ମାଡ ଚାଲିଥାଏ, ଏବଂ ଗୋଟିଏ ପରେ ଗୋଟିଏ ଘରେ ନିଆଁ ଲାଗୁଥାଏ । ସିନେମାର କ୍ରାଇମ ସିନ ଭଳି ଦୁଇଟି ଗୋଷ୍ଠୀ ପରସ୍ପର ଉପରକୁ ବୋମା ମାଡ କରୁଥାନ୍ତି । ଆଉ ଏଥିରେ ନାଥପୁର ଗାଁ ନିକଟରେ ଥିବା ୨୫ଟି ଅନୁସୂଚିତ ଜାତି ପରିବାରର ଘର ପ୍ରାୟ ସଂପୂର୍ଣ୍ଣ ଜଳି ଯାଇଛି ।

ଘଟଣାସ୍ଥଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ ଓ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ମଧ୍ୟ କେହି ନିୟନ୍ତ୍ରଣ କରିପାରିନଥିଲେ । ଏହି ପରିସ୍ଥିତି ପାଇଁ ଗତ ବର୍ଷକର ଉତେଜନାକୁ ଦାୟୀ କରାଯାଉଛି । କୃଷ୍ଣପ୍ରସାଦ ବ୍ଲକର ବ୍ରହ୍ମପୁର ନାମକ ଏକ ଗାଁରେ ୨୫ଟି ଅନୁସୂଚିତ ଜାତିର ପରିବାର ବସବାସ କରୁଥିଲେ । ତେବେ ଗାଁର ଅନ୍ୟ ଲୋକେ ସେମାନଙ୍କୁ ଗାଁରୁ ତଡି ଦେଇଥିଲେ ବୋଲି କୁହାଯାଉଛି । ପ୍ରାୟ ଏକ ବର୍ଷ ଆଗରୁ ଏହି ଘଟଣା ଘଟିଥିଲା । ଏମାନେ ନାଥପୁର ଗାଁ ନିକଟକୁ ଆସି ସେଠାରେ ଏକ ସରକାରୀ ଜାଗାରେ କୁଡିଆ ଘର କରି ରହୁଥିଲେ । ତେବେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ନିଜ ଗାଁକୁ ଫେରାଇ ନେବା ପାଇଁ ଉଦ୍ୟମ କରିଥିଲା । ଆଜି ମଧ୍ୟ ଆଲୋଚନା ପାଇଁ ଜିଲ୍ଲାପ୍ରଶାସନ ଓ ୩୫ ମୌଜା ଗାଁ ଲୋକଙ୍କ ପକ୍ଷରୁ ଜଣେ ପ୍ରତିନିଧି ସେମାନଙ୍କୁ ଡାକିବାକୁ ଯାଇଥିଲେ । କିନ୍ତୁ ହଠାତ୍ ସେ ପ୍ରତିନିଧି ଉପରେ ଆକ୍ରମଣ କରିଦେଲେ ।

କୁହାଯାଉଛି, ସେମାନେ ସେହି ସ୍ଥାନ ଛାଡିବାକୁ ଚାହୁଁନଥିବାରୁ ପ୍ରତିନିଧି ଉପରେ ଏହି ଆକ୍ରମଣ କଲେ । ଏହାପରେ ଉତେଜନା ବଢିଗଲା, ଓ ଗୋଟିଏ ପଟେ ଅନୁସୂଚିତ ପରିବାର ଗୋଷ୍ଠୀ ଓ ଅନ୍ୟ ପଟେ ୩୫ ମୌଜା ଲୋକଙ୍କ ଏକ ଗୋଷ୍ଠୀ ମଧ୍ୟରେ ବୋମା ଫୋପଡା ଆରମ୍ଭ ହୋଇଗଲା ତେବେ ଏବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି । ଏହି ହିଂସାକାଣ୍ଡରେ ଆଲୋଚନା ପାଇଁ ଡାକିବାକୁ ଯାଇଥିବା ବ୍ୟକ୍ତି ଆହତ ହୋଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ହଠାତ୍ କୌଣସି ହିଂସାକାଣ୍ଡ ଘଟିଲେ, ଲୋକଙ୍କ ପାଖକୁ ଏତେ ସଂଖ୍ୟାରେ ବୋମା କୁଆଡୁ ଆସୁଛି ଏବଂ କେମିତି ଆସୁଛି ?