୩୦ରୁ ଅଧିକ ଉପାୟରେ ହେଉଛି ସାଇବର ଠକେଇ? ଆପଣ ଜାଣିନଥିବେ କିନ୍ତୁ ଆକାଉଣ୍ଟ ଖାଲି ହୋଇ ସାରିଥିବ, ସୋସିଆଲ ମିଡ଼ିଆରେ ହେଉଛି ଅଧିକ ଠକେଇ? ଜାଣନ୍ତୁ ସାଇବର ଠକଙ୍କ ହାବୁଡରୁ କିଭଳି ବର୍ତ୍ତିବେ?

Advertisment
୩୦ରୁ ଅଧିକ ଉପାୟରେ ହେଉଛି ସାଇବର ଠକେଇ? ଆପଣ ଜାଣିନଥିବେ କିନ୍ତୁ ଆକାଉଣ୍ଟ ଖାଲି ହୋଇ ସାରିଥିବ, ସୋସିଆଲ ମିଡ଼ିଆରେ ହେଉଛି ଅଧିକ ଠକେଇ? ଜାଣନ୍ତୁ ସାଇବର ଠକଙ୍କ ହାବୁଡରୁ କିଭଳି ବର୍ତ୍ତିବେ?

କନକ ବ୍ୟୁରୋ : ପୁଲିସ ଡାଳେଡାଳେ ଗଲାବେଳକୁ ସାଇବର ଠକ ପତ୍ରେପତ୍ରେ ଯା‌ଉଛନ୍ତି। ଦିନକୁ ଦିନ ନୂଆନୂଆ ଉପାୟରେ ଲୋକଙ୍କୁ ଲୁଟି ଚାଲିଛନ୍ତି। ଠକାମୀର ଗୋଟିଏ ତରିକା ବିଷୟରେ ଲୋକେ ସଚେତନ ହେଲାବେଳକୁ ସାଇବର ଠକମାନେ ପରେ ଆଉ ଗୋଟିଏ ନୂଆ ତରିକା ଆପଣାଉଛନ୍ତି। ଇନଫର୍ମେସନ୍‌ ଟେକ୍ନୋଲୋଜି କ୍ଷେତ୍ରରେ ପୁଲିସର ବିଶେଷ ଦକ୍ଷତା ନ ଥିବା ସୁଯୋଗ ନେଇ ସାଇବର ଠକମା‌ନେ ସବୁବେଳେ ପୁଲିସଠାରୁ ବେଶ୍ କେଇପାଦ ଆଗୁଆ ରହୁଛନ୍ତି। ଫଳରେ ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ସାଇବର ଠକାମୀର ନୂଆ ନୂଆ ଅଭିଯୋଗମାନ ଆସିବାରେ ଲାଗିଛି। ଆଉ ପୁଲିସ ହାତ ଟେକି ଦେଉଛି। ଏଭଳି ସମୟରେ ନିଜେ ସଚେତନ ନ ହେଲେ ସାଇବର ଠକ ଆପଣଙ୍କ ଆକାଉଣ୍ଟ ଖାଲି କରି ଭିକାରୀ କରିଦେବାର ଆଶଙ୍କା ରହିଛି।

ସାଇବର ଅପରାଧର ପାଠଶାଳା ଝାଡ଼ଖଣ୍ଡର ‘ଜମତରା’ ଗ୍ୟାଙ୍ଗ୍ ଗୁଡିକ ଭୁବନେଶ୍ୱରରେ ଶାଖା ଖୋଲିବା ନେଇ ଖବର ପ୍ରକାଶ ପାଇବା ପରେ କମିସନରେଟ ପୁଲିସ ଏକ ସତର୍କତାମୂଳକ ବାର୍ତ୍ତା ଥିବା ଭିଡିଓ ଜାରି କରିଥିଲା। କିନ୍ତୁ ତା’ପ‌ରେ ବି ଲୋକେ ସାଇବର ଠକଙ୍କ ଶିକାର ହେବା ଥମିବା ଦେଖାଗଲା ନାହିଁ। ବରଂ ସାଇବର ଠକଙ୍କ ନୂଆ ନୂଆ ତରିକା ଦେଖିବାକୁ ମିଳିଲା। ଫେସବୁକରେ ବନ୍ଧୁତା କରି, ଉପହାର ଲୋଭ ଦେଖାଇ, ବିବାହ ପ୍ରଲୋଭନ ଦେଖାଇ ଟଙ୍କା ଠକେଇ ଘଟଣା ସାମ୍ନାକୁ ଆସୁଛି। ଏହାର ମୁକାବିଲା ଲାଗି ଓଡ଼ିଶା ଭଳି ରାଜ୍ୟର ପୁଲିସ ପ୍ରୟାସ ଜାରି ରଖିଥିବାବେଳେ ନିକଟରେ ଝାଡ଼ଖଣ୍ଡ ପୁଲିସ ଏକ ସାଇବର ସଚେତନତା ପୁସ୍ତିକା ପ୍ରକାଶ କରିଛି। ୩୬ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତିକାରେ ୩୦ରୁ ଅଧିକ ପ୍ରକାର ସାଇବର ଠକେଇ ସମ୍ପର୍କରେ ଉଲ୍ଲେଖ ରହିଛି। ଏହାବାଦ୍‌ ଝାଡ଼ଖଣ୍ଡ ପୁଲିସ ସାଇବର ସୁରକ୍ଷା ନାଁରେ ଏକ ୟୁ-ଟ୍ୟୁବ୍ ଚ୍ୟାନେଲ୍‌ କରି ଲୋକଙ୍କୁ ସଚେତନ କରୁଛି। କିନ୍ତୁ ଓଡ଼ିଶା ପୁଲିସ ପକ୍ଷରୁ କେବଳ କିଛି ଭିଡିଓ ବାର୍ତ୍ତା ଜାରି କରିବା ଏବଂ ଠକେଇର ଶିକାର ଲୋକଙ୍କୁ ସହାୟତା ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରିବା ବ୍ୟତୀତ ସେଭଳି ଆଖିଦୃଶିଆ ସଚେତନତା କାର୍ଯ୍ୟକ୍ରମ କରାଯାଇନାହିଁ।

ଭାରତରେ ମୁଖ୍ୟତଃ ଫେସବୁକକୁ ଅସ୍ତ୍ର କରିଛନ୍ତି ସାଇବର ଠକ। ଫେସବୁକ୍ ମାଧ୍ୟମରେ ଏବେ ସର୍ବାଧିକ ଠକେଇ ହେଉଥିବା ସାମ୍ନାକୁ ଆସୁଛି। ପ୍ରଥମେ ଅଶ୍ଳୀଳ ଭିଡିଓ ଜରିଆରେ ଚାଟିଂ କରି ପରେ ବ୍ଲାକମେଲିଂ କରି ଠକୁଛନ୍ତି ସାଇବର ଠକ। ପ୍ରଥମେ ଫେସବୁକରେ ବନ୍ଧୁତା ପାଇଁ ବିଦେଶୀ ସୁନ୍ଦରୀ ଯୁବତୀଙ୍କ ରିକ୍ୟୁଏଷ୍ଟ ଆସୁଛି। ଆଉ ଜଣେ ଏହାକୁ ଆକସେପ୍ଟ କଲା ପରେ ଠକାମୀ ପାଇଁ ଜାଲ ବିଛା ଆରମ୍ଭ ହୋଇଯାଉଛି। ପ୍ରକୃତରେ ଫେସବୁକରେ ଆସୁଥିବା ଫଟୋଟି କୌଣସି ବିଦେଶୀ ଯୁବତୀଙ୍କର ନୁହେଁ। ସାଇବର ଠକ ଗ୍ୟାଙ୍ଗର ସଦସ୍ୟ ହିଁ ଏଭଳି ଫଟୋ ଛାଡ଼ି ଗ୍ରାହକକୁ ଟାର୍ଗେଟ କରୁଛନ୍ତି। ସେହିଭଳି ମାଟ୍ରିମୋନିଆଲ୍‌ ଠକେଇ ବା ନାଇଜେରିଆନ୍ ଠକେଇ, ଆକାଉଣ୍ଟ ହ୍ୟାକିଂ ଓ କ୍ଲୋନିଂ ଜରିଆରେ ହେଉଥିବା ଠକେଇ ଘଟଣା ସାମ୍ନାକୁ ଆସିଛି। ଏହି ଠକେଇ କିପରି ହୋଇଛି ଓ ଏଥିରୁ କେମିତି ବର୍ତ୍ତିବେ, ତାହା ଉପରେ ସାଇବର ବିଶେଷଜ୍ଞମାନେ ବିଭିନ୍ନ ପରାମର୍ଶ ଦେଇଛନ୍ତି।

ଫେସବୁକ୍ ଜରିଆରେ କେମିତି ହେଉଛି ଠକେଇ?

ପ୍ରଥମେ ବିଦେଶରୁ କୌଣସି ଯୁବତୀର ଫଟୋ ଥିବା ଜାଲ୍ ଆକାଉଣ୍ଟରୁ ଯୁବକଙ୍କ ପ୍ରୋଫାଇଲ୍‌ ଖୋଜି ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ(ବନ୍ଧୁତା ଅନୁରୋଧ) ଆସେ।

ଏହି ରିକ୍ୟୁଏଷ୍ଟକୁ ଆକ୍ସେପ୍ଟ(ଗ୍ରହଣ) କରିବା ପରେ ବନ୍ଧୁତା ବଢ଼ିଥାଏ।

ନିବିଡ଼ତା ବଢ଼ିବା ପରେ ଯୁବତୀଜଣକ ଫୋନ୍ ନମ୍ବର ଏବଂ ହ୍ୱାଟସଆପ ନମ୍ବର ନେଇଯାଆନ୍ତି।

ଏହା ପରେ ଭିଡିଓ ଓ ଅଡିଓ ଚାଟିଂ ଆରମ୍ଭ ହୁଏ।

ଯୁବତୀ ନିଜ ଆଡ଼ୁ ଅନ୍ତରଙ୍ଗ ମୁହୂର୍ତ୍ତ ତିଆରି କରି ଅଶ୍ଳୀଳ ଭିଡିଓ ଚାଟିଂର ରେକର୍ଡିଂ କରାଇନିଏ।

ହ୍ୱାଟସଆପ ଭିଡିଓ କଲ୍ ସମୟରେ ସ୍କ୍ରିନସଟ୍ ରେକର୍ଡିଂ ଅପସନକୁ ଯୁବତୀ ଅନ୍ କରିଦିଏ।

ଆଉ ଯୁବକଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ରେକର୍ଡିଂ କରି ରଖେ।

ଏହି ରେକର୍ଡିଂକୁ ଭାଇରାଲ୍‌ କରିବ ବୋଲି ଧମକ ଦିଏ ଏବଂ ବ୍ଲାକମେଲିଂ କରି ଟଙ୍କା ଆଦାୟ କରେ।

ଲୋକଲଜ୍ଜା ଭୟରେ ଯୁବକ କିଛି କହିପାରେ ନାହିଁ ଏବଂ ଠକାମୀର ଶିକାର ହୁଏ।

ଠକେଇରୁ କେମିତି ବର୍ତ୍ତିବେ?

ଯଦି କେହି ଅଜଣା ବ୍ୟକ୍ତିଙ୍କ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଲା ତାହାକୁ ଭଲଭାବେ ଯାଞ୍ଚ କରିବା ଦରକାର।

ଯଦି ମେସେଞ୍ଜରରେ ଠକ ଚାଟିଂ କରି ଟଙ୍କା ମାଗିଲା, ତା’ହେଲେ ଫୋନ୍ କିମ୍ବା ମେସେଜ୍ କରି ଯାଞ୍ଚ କରନ୍ତୁ।

ଓଡ଼ିଆ ଲୋକଙ୍କ ଆକାଉଣ୍ଟରୁ ଯଦି କେହି ହିନ୍ଦୀରେ ଚାଟିଂ କରି ଟଙ୍କା ମାଗିଲେ, ସହଜରେ ବିଶ୍ୱାସ କରନ୍ତୁ ନାହିଁ।

ବିଶେଷ କରି ରାତିରେ ଠକ ଚାଟିଂ କରିଥାଏ। ଏଥି ପ୍ରତି ସତର୍କ ରୁହନ୍ତୁ।

ଧ୍ୟାନ ରହିବା ଦରକାର ଯେ ଯାହାର ତୁରନ୍ତ ଆର୍ଥିକ ସାହାଯ୍ୟ ଦରକାର, ସେ ସିଧା ଫୋନ୍ କରି ଟଙ୍କା ମାଗିବ।

ଟଙ୍କା ମାଗୁଥିବା ବନ୍ଧୁ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର ନ ଦେଇ ବିହାର, କୋଲକାତା, ଝାଡ଼ଖଣ୍ଡ ଭଳି ଅନ୍ୟ ରାଜ୍ୟର ଲୋକଙ୍କ ନାଁରେ ଥିବା ଆକାଉଣ୍ଟରେ ଟଙ୍କା ଦେବାକୁ କହିଲେ, ବିଶ୍ୱାସ କରନ୍ତୁ ନାହିଁ।

ଫେସବୁକ ଆକାଉଣ୍ଟ ନକଲି ଜଣାପଡ଼ିବା ପରେ ସେଥିରେ ଥିବା ରିପୋର୍ଟ ଅପସନରେ ଏକାଧିକ ଲୋକ ଅଭିଯୋଗ କଲେ, ତାହା ବନ୍ଦ ହୋଇଯିବ।

ଫେସବୁକ୍ ହ୍ୟାକିଂ/କ୍ଲୋନିଂ

ଆଇପିଏସ୍, ଆଇଏଏସ୍, ଅଭିନେତା, ନେତାଙ୍କ ଭଳି ଜଣାଶୁଣା ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟକୁ ସାଇବର ଠକ ହ୍ୟାକିଂ ଓ କ୍ଲୋନିଂ କରି ନିଅନ୍ତି।

ସେହି ଆକାଉଣ୍ଟରୁ ଅନ୍ୟକୁ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ(ବନ୍ଧୁତା ଅନୁରୋଧ) ପଠାନ୍ତି।

ଯେଉଁମାନେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ଆକ୍ସେପ୍ଟ (ବନ୍ଧୁତା ଗ୍ରହଣ) କରନ୍ତି, ସେମାନଙ୍କ ପାଖକୁ ଦିନେ, ଦୁଇ ଦିନ ଭିତରେ ଠକ ମେସେଞ୍ଜର ଜରିଆରେ ବିଭିନ୍ନ ଜଟିଳ ସମସ୍ୟା ଦେଖାଇ ଟଙ୍କା ମାଗେ।

ଚିକିତ୍ସା କିମ୍ବା କୌଣସି ଜରୁରୀ କାମ ଦେଖାଇ ଠକ ଟଙ୍କା ମାଗିଥାଏ।

କେହି କେହି ଟଙ୍କା ଦେଇ ଦିଅନ୍ତି।

ଫେସବୁକ୍ କ୍ଲୋନିଂରେ ମଧ୍ୟ ସମାନ ଧରଣର ଠକେଇ ହୋଇଥାଏ।

ହ୍ୟାକିଂରୁ କେମିତି ରକ୍ଷା ପାଇବେ ଆକାଉଣ୍ଟଧାରୀ?

ଫେସବୁକ୍ ବ୍ୟବହାରକାରୀମାନେ ନିଜ ଜନ୍ମ ତାରିଖ, ମୋବାଇଲ ନମ୍ବର, ନାଁ କିମ୍ବା ସମ୍ପର୍କୀୟ ନାଁକୁ ପାସୱାର୍ଡଭାବେ ବ୍ୟବହାର କରିବା ଅନୁଚିତ।

ଫେସବୁକରେ ଥିବା ଟୁ ଫ୍ୟାକ୍ଟର ଭେରିଫିକେସନ କରିବା।

ନିୟମିତ ବ୍ୟବଧାନରେ ପାସୱାର୍ଡ ବଦଳାଇବା।

ହ୍ୟାକ୍ ହେବା ଜାଣିବା ମାତ୍ରେ ଫେସବୁକ୍ ଓ ଅନ୍ୟ ସୋସିଆଲ ମିଡିଆରେ ତୁରନ୍ତ ଏହାକୁ ଜଣାଇବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe