ଖାଦ୍ୟ ସୁରକ୍ଷା ଆଇନରେ ମୋଟ ୩ କୋଟିରୁ ଅଧିକ ହିତାଧିକାରୀଙ୍କୁ କରାଯାଇଛି ସାମିଲ । ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର ।

341

କନକ ବ୍ୟୁରୋ : ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୯୨ ଲକ୍ଷ ୯୮ ହଜାର ୫୮୨ ପରିବାରରର ୩ କୋଟି ୨୪ ଲକ୍ଷ ୭୩ ହଜାର ୩୭୦ ହିତାଧିକାରୀ ରହିଛନ୍ତି । ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ୮୩,୦୩୫ ପରିବାରର ୩ ଲକ୍ଷ ୧୨ ହଜାର ୩୦୧ ଜଣ ହିତାଧିକାରୀ ଭାବେ ସୁଲଭ ମୂଲ୍ୟରେ ଚାଉଳ ଯୋଗାଇ ଦିଆଯାଇଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଏହାବାଦ୍ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେବା ପାଇଁ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୧୮ ହଜାର ୬୦୫ଟି ଦରଖାସ୍ତ ପଡିଥିବା ବେଳେ ସେଥିରୁ ୨ ଲକ୍ଷ ୨ ହଜାର ହିତାଧିକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି । ଅନ୍ୟ ଆବେଦନକାରୀଙ୍କ ଦରଖାସ୍ତ ଯାଞ୍ଚ କରାଯାଉଛି । ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯିବ ।

ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡିଥିବା ୨୫ ଲକ୍ଷ ପରିବାରକୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ସାମିଲ କରିବାକୁ ୨୦୧୮ ଅକ୍ଟୋବରରେ ଘୋଷଣା କରିଥିଲେ ରାଜ୍ୟ ସରକାର । ତେବେ ୨ ବର୍ଷ ଭିତରେ ମାତ୍ର ୫ ଲକ୍ଷ ୧୪ ହଜାର ୩୦୧ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ଏପରିକି ଆବେଦନକାରୀଙ୍କ ସଂଖ୍ୟା ବଢିଥିଲେ ମଧ୍ୟ ବିଭିନ୍ନ କାରଣରୁ ହିତାଧିକାରୀ ଚିହ୍ନଟରେ ବିଳମ୍ବ ହେଉଛି । ଯାହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ । ଏପରିକି ଆବେଦନ କରିବାର ୨୪ ଘଣ୍ଟା ମଧ୍ୟରେ ଦରଖାସ୍ତ ଯାଞ୍ଚ କରିବା ନେଇ ପୂର୍ବରୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲେ ମଧ୍ୟ ହିତାଧିକାରୀ ଚିହ୍ନଟରେ କାହିଁକି ବିଳମ୍ବ ହେଉଛି ସେନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏପରିକି ଆବେଦନ କରିବାର କେତେ ସମୟ ମଧ୍ୟରେ ଯାଞ୍ଚ କରାଯିବ ସେନେଇ ମନ୍ତ୍ରୀଙ୍କ ଠାରୁ ଉତ୍ତର ଜାଣିବାକୁ ଚାହିଁଥିଲେ ମଧ୍ୟ ଉତ୍ତର ଦେଇପାରିନଥିଲେ ବିଭାଗୀୟ ମନ୍ତ୍ରୀ ।

ସେହିଭଳି ଆଙ୍ଗୁଠି ଛାପ ସ୍କାନିଂ ହୋଇପାରୁନଥିବାରୁ ହିତାଧିକାରୀ ତାଲିକାରୁ ଅଧିକାଂଶ ଲୋକ ବାଦ୍ ପଡୁଛନ୍ତି । ଯେଉଁମାନଙ୍କର ଟିପ୍ ଚିହ୍ନ କାମ କରୁନାହିଁ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ । ଟିପ ଚିହ୍ନ ବଦଳରେ ଆଖି ସ୍କାନ କରାଯାଇ ବାୟୋମେଟ୍ରିକ ମ୍ୟାଚିଂ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Comments are closed.