୧୪୭ ଟିକେଟ ପାଇଁ ୨୫୦୦ରୁ ଅଧିକ ଆବେଦନ । କଂଗ୍ରେସ ଟିକେଟ ପାଇଁ କଂଗ୍ରେସ ଭବନରେ ଆଶାୟୀଙ୍କ ଭିଡ । ଜାଣନ୍ତୁ ଟିକେଟ ବଣ୍ଟନ ନେଇ କଣ କହିଲେ ପିସିସି ସଭାପତି ।

921

କନକ ବ୍ୟୁରୋ : କଂଗ୍ରେସର ଟିକେଟ୍ କସରତ । ରାଜ୍ୟ କଂଗ୍ରେସ ଭବନରେ ଆଶାୟୀଙ୍କ ଭିଡ଼ । ୧୪୭ ନିର୍ବାଚନ ମଣ୍ଡଳୀରୁ ୨୫ ଶହରୁ ଅଧିକ ଲୋକ କଂଗ୍ରେସ ଟିକେଟ୍ ପାଇଁ ଅନଲାଇନରେ ଆବେଦନ କରିଛନ୍ତି । ଟିକେଟ୍ ପାଇଁ ଆବେଦନ କରିଥିବା ଆଶାୟୀ ପ୍ରାର୍ଥୀ କଂଗ୍ରେସ ଭବନରେ ପହଂଚିଛନ୍ତି । ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତି ସେମାନଙ୍କ ସହ ଆଲୋଚନା କରୁଛନ୍ତି । ଏଠାରେ ପ୍ରତି ନିର୍ବାଚନମଣ୍ଡଳୀରୁ ଆସିଥିବା ନାଁ ଉପରେ ବିଚାର ବିମର୍ଷ କରାଯିବ ।ଟିକେଟ୍ ଚୂଡାନ୍ତ ପରେ ଏଆଇସିସିକୁ ତାଲିକା ପଠାଯିବ ବୋଲି ଜଣାପଡ଼ିଛି । ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି ।
ପୂର୍ବରୁ କଂଗ୍ରେସ ଟିକେଟ ବଣ୍ଟନରେ ଅର୍ଥ କାରବାର ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । କିନ୍ତୁ ଚଳିତଥର କଂଗ୍ରେସର ଟିକେଟ ବଣ୍ଟନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବାକୁ ଅନଲାଇନରେ ଟିକେଟ ଆବେଦନ ବ୍ୟବସ୍ଥା କରାଯାଇଥିଲା । ଯାହାକୁ ଦଳୀୟ କର୍ମୀ ବେଶ ପସନ୍ଦ କରିଥିଲେ । ଟିକେଟ ପାଇଁ କାହା ପାଖରେ ଲବି କରିବା ପରିବର୍ତ୍ତେ ସିଧାସଳଖ ଟିକେଟ ପାଇଁ ଆବେଦନ କରିବାର ସୁଯୋଗ ମିଳିଥିବାରୁ ଅଧିକରୁ ଅଧିକ କଂଗ୍ରେସ କର୍ମୀ ଟିକେଟ ପାଇଁ ଆବେଦନ କରିଛନ୍ତି । ଏହାଦ୍ୱାରା କଂଗ୍ରେସ ଟିକେଟ ପାଇଁ କେତେ ଜଣ ଇଚ୍ଛୁକ ଏବଂ ଯୁବବର୍ଗଙ୍କ ମଧ୍ୟରେ କଂଗ୍ରେସକୁ ନେଇ କଣ ମନୋଭାବ ରହିଛି ତାହା ସ୍ପଷ୍ଟ ସଂକେତ ମଧ୍ୟ ମିଳୁଛି ।