ଘାତକ ହେଉଛି ହିଟୱେଭ: ଅସହ୍ୟ ତାତିରେ ଗଲାଣି ୨ଶହରୁ ଅଧିକ ଜୀବନ, ବିଭିନ୍ନ ସ୍ଥାନରେ ଜଳାଭାବ

340

କନକ ବ୍ୟୁରୋ: ଦେଶରେ ଜୀବନ ନେଉଛି ହିଟୱେଭ ଓ ଉକ୍ରଟ ଜଳ ସଂକଟ । ଭୀଷଣ ଲୁ ପ୍ରଭାବରେ ଦେଶରେ ଗଲାଣି ୨୦୦ରୁ ଅଧିକ ଜୀବନ । ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ଅନେକ ରୋଗୀ । ସେପଟେ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଉକ୍ରଟ ହେଉଛି ଜଳ ସଂକଟ । ପାଣି ପାଇଁ ସୁପ୍ରିମକୋର୍ଟରେ ପହଂଚିଲା ଦିଲ୍ଲୀ ଆପ୍ ସରକାର ।

ଦେଶରେ କଲବଲ କରୁଛି ହିଟୱେଭ । ଅଂଶୁଘାତ କାରଣରୁ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୫୪ରୁ ଅଧିକ ମୃତ୍ୟୁ ରେକର୍ଡ କରାଯାଇଛି । କେବଳ ୟୁପି ଏବଂ ବିହାରରେ ‘ଲୁ’ କାରଣରୁ ଗୋଟିଏ ସପ୍ତାହରେ ୨୦୦ର ଅଧିକ ଜୀବନ । ବିହାରରେ ଲୁ ପ୍ରଭାବରେ ୧୨ ଜିଲ୍ଲାରେ ୬୫ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ଉତ୍ତର ଭାରତର ବିଭିନ୍ନ ହସ୍ପିଟାଲରେ ଅନେକ ଚିକିତ୍ସାଧୀନଥିବା ଜଣାପଡିଛି । ୟୁପିରେ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ସର୍ବାଧିକ ମୃତ୍ୟୁ ବାରଣାସୀ ଏବଂ ଏହାର ଆଖପାଖ ଅଂଚଳରେ ହୋଇଥିବା ଅଭିଯୋଗ ହୋଇଛି । ସେହପରି ଓଡିଶାରେ ବି ‘ଲୁ’ ପ୍ରଭାବରେ ୪୩ ଜଣଙ୍କ ମୃତ୍ୟୁ ହୋଇଛି ।

ଏପଟେ ହିଟୱେଭ ଆତଙ୍କ ସେପଟେ ହଇରାଣ କରୁଛି ଜଳ ଅଭାବ । ରାଜଧାନୀ ଦିଲ୍ଲୀ ସମେତ ଦେଶର ଅଧା ରାଜ୍ୟରେ ପାଣି ପାଇଁ ହାହାକାର୍ । ଦିଲ୍ଲୀରେ ପାଣି ପାଇଁ ଲୋକମାନେ ରାସ୍ତାକୁ ଓଲ୍ହାଇଛନ୍ତି । ଟ୍ୟାଙ୍କର ଯୋଗେ ପାଣି ଚାହିଦା ମେଂଟାଇବ ପାଇଁ ଦିଲ୍ଲୀ ସରକାରଙ୍କୁ ନାକେଦନ ହେବାକୁ ପଡିଛି ।

ସେପଟେ ପାଣି ସମସ୍ୟା ଦୂର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ସରକାର । ପଡୋଶୀ ରାଜ୍ୟ ହରିୟାଣା ଓ ହିମାଚଳ ପ୍ରଦେଶରୁ ଦିଲ୍ଲୀକୁ ଅଧିକ ପାଣି ଛାଡିବା ପାଇଁ ଦାବି କରିିଛି ଆପ୍ ସରକାର । ଅନ୍ୟପଟେ ରାସ୍ତାକୁ ଓହ୍ଲାଇଛି ବିଜେପି । ଦିଲ୍ଲୀ ଜଳାଭାବ ପାଇଁ ରାସ୍ତାକୁ ଓହ୍ଲାଇ ଆପ ସରକାର ବିରୋଧରେ ବିକ୍ଷୋଭ କରିଛି ଦଳ ।

ପାଣିପାଗ ବିଜ୍ଞାନୀଙ୍କ ଆକଳନ, ମୌସୁମୀ ପ୍୍ରଭାବରେ ଆଗକୁ ମିଳିବ ହିଟୱେଭରୁ ଆଶ୍ୱସ୍ତି । ଉତ୍ତର-ପଶ୍ଚିମ ଭାରତ ଓ ମଧ୍ୟ ଭାରତରେ ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା । ଆଗାମୀ ୬ ଦିନରେ ଭିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଉତର ଭାରତରେ ଗ୍ରୀଷ୍ମ ପ୍ରବାହ ତାଣ୍ଡବ ରଚୁଥିବାବେଳେ ଅନ୍ୟପଟେ ଉତରପୂର୍ବ ଭାରତରେ ବର୍ଷା ଓ ବନ୍ୟାରେ ଅସ୍ତବ୍ୟସ୍ତ ଜନଜୀବନ ।