କନକବ୍ୟୁରୋ: ରାଜ୍ୟରେ ଡରାଉଛି ଡାଇରିଆ। ବିଭିନ୍ନ ଜିଲ୍ଲାରେ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ହଷ୍ଟେଲରେ ବ୍ୟାପୁଛି ଡ଼ାଇରିଆ। ମୟୂରଭଂଜ ଜିଲ୍ଲା କପ୍ତିପଦାରେ ଡ଼ାଇରିଆରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ୨୦ରୁ ଅଧିକ ଅନ୍ତେବାସୀ । ଆଜି ଏକ ମେଡିକାଲ ଟିମ ବିଦ୍ୟାଳୟରେ ପହଞ୍ଚିଛନ୍ତି। କପ୍ତିପଦା ଡାକ୍ତରଖାନା ପକ୍ଷରୁ ୩ ଜଣିଆ ଟିମ ବଡ଼ଖଲାଡି ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହାସହ ଜଳ ଓ ପରିମଳ ବିଭାଗର ଏକ ଟିମ ମଧ୍ୟ ସେଠାରେ ପହଞ୍ଚି ଡ଼ାଇରିଆ ବ୍ୟାପିବାର କାରଣ ଖୋଜୁଛନ୍ତି। ବିଦ୍ୟାଳୟ ଓ ହଷ୍ଟେଲରେ ଥିବା ସମସ୍ତ ପାନୀୟ ଜଳର ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

Advertisment

ସେପଟେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁରେ ବହୁ ଲୋକ ଝାଡାବାନ୍ତି ହୋଇ ଭଂଜନଗର, ବେଲଗୁଣ୍ଠା ଓ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ୨୦ ଦିନରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦୀପରେ ମଧ୍ୟ ଡରାଉଛି ଡାଇରିଆ। ପାରାଦୀପ ଶିଳ୍ପାଂଚଳର ନିକଟବର୍ତି ପାରାଦୀପଗଡ଼ରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ବାଲିସାହିରେ ଡାଇରିଆ ଆତଙ୍କ ଦେଖିବାକୁ ମିଳିଛି। ଗୋଟିଏ ପରିବାରର ଦୁଇ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁଁ ରୋଗ ବ୍ୟାପୁଥିବା ଅନୁମାନ କରାଯାଉଛି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଂଚଳରୁ ପାଣି ନମୁନା ସଂଗ୍ରହ କରାଯାଇଛି।