କନକ ବ୍ୟୁରୋ : ଗୁଣ୍ଡିଚା ମନ୍ଦିର ରୋଷଘରେ ଚୂଲି ଭାଙ୍ଗିଦେଲେ ଦୁର୍ବୃତ୍ତ । ମୋଟ ୭୫୨ ଚୂଲିରୁ ୨୦ଟି ଭାଙ୍ଗିଦେଇଥିବା ସୂଚନା ମିଳିଛି । ଗତକାଲି ରାତିରେ କେହି ଦୁର୍ବୃତ୍ତ ରୋଷଘର ଭିତରେ ପଶି ଚୂଲି ଭାଙ୍ଗି ଥିବା ଜଣାପଡିଛି । ତେବେ କୋଠ ଭୋଗ ଚୂଲି ଭାଙ୍ଗିନଥିବାରୁ ମହାପ୍ରଭୁଙ୍କ ଆଡପ ଅବଢା ବାହାରିବାରେ ସମସ୍ୟା ହେବନାହିଁ ।

Advertisment

କେବଳ ବରାଦି ଅବଢା ପାଇଁ ରହିଥିବା ଚୂଲିକୁ ଦୁର୍ବୃତ୍ତ ଭାଙ୍ଗିଥିବା ଜଣାପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ଚୂଲି ମରାମତି କାମ ଚାଲିଥିବା ବେଳେ ଉପଜିଲ୍ଲାପାଳ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ତେବେ ଆଡପ ଅବଢା ବାହାରିବା ପାଇଁ ୧୪୦ଟି ଚୂଲି ଥିବା ଜଣାପଡିଛି । ବାକି ଚୂଲିରେ ବରାଦି ଅବଢା ପ୍ରସ୍ତୁତ କରାଯାଇଥାଏ । ଚୂଲି ଗୁଡିକ ମାଟି ବାଲି ଓ ଗୁଡରେ ପ୍ରସ୍ତୁତ ହୋଇଥାଏ । ତେଣୁ ମରାମତି କରିବାକୁ ମାତ୍ର ଦୁଇ ଦିନ ସମୟ ଲାଗିଥାଏ ।

ଗତ ଏପ୍ରିଲ ମାସ ୨ ତାରିଖ ରାତିରେ ଶ୍ରୀମନ୍ଦିର ରୋଷଘରେ ମଧ୍ୟ ୪୩ଟି ଚୂଲିକୁ ଜଣେ ଦୁର୍ବୃତ୍ତ ଭାଙ୍ଗିଦେଇଥିଲା । ଯାହାପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ବି ନେଇ ପ୍ରଶ୍ନ ଉଠିଥିଲା । କୋଟି କୋଟି ଭକ୍ତଙ୍କ ଭାବାବେଗରେ ଆଘାତ ଲାଗିଥିଲା । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସତ୍ୱେ ଜଣେ ଲୋକ ରାତିରେ ବିନା ବାଧାରେ କିପରି ଏତେ ଚୂଲି ଭାଙ୍ଗି ପାରିଲା, ଏ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏହି ଘଟଣାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଦେଉଳି ଗାଁର ୩୦ବର୍ଷୀୟ ଜଗନ ମହାପାତ୍ରକୁ ଗିରଫ କରାଯାଇଥିଲା । ଏହି ଯୁବକ ଜଣଙ୍କ ଶ୍ରୀମନ୍ଦିର ରୋଷଘରେ ପଶି ମହାପ୍ରଭୁଙ୍କ ଚୂଲିକୁ ଏପ୍ରିଲ ୨ତାରିଖ ରାତିରେ ଭାଙ୍ଗି ଦେଇଥିବା ପୋଲିସ ସୂଚନା ଦେଇଥିଲା । ଜଗନ ମହାପାତ୍ର ଧରାପଡିବା ପରେ ଘଟଣାର ମୋଡ ପୁରା ବଦଳି ଯାଇଥିଲା ।

ଜଗନ କହିଥିଲେ, ସେ ରୋଷଘରକୁ ଯାଇଥିଲେ, ସେଠାରେ ଭୋଗ ଏଣେତେଣେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଏହାକୁ ଦେଖି ତାଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା, ଆଉ ସେ ନିଜେ ଚୂଲି ଭାଙ୍ଗିଥିଲେ । ନିଜ ହାତରେ ହିଁ ସେ ଚୂଲିଗୁଡ଼ିକୁ ଭାଙ୍ଗିଥିଲେ । ପ୍ରାୟ ରାତି ଗୋଟାଏ ସମୟରେ ରୋଷଘର ଆଗରେ କେହି ନଥିବାର ସୁଯୋଗ ପାଇ ସେ ରୋଷଘର ଭିତରେ ପଶିଯାଇଥିଲେ ।