ଅଫିସ ବାହାନାରେ ଲକଡାଉନରେ ଆଉ ମନଇଚ୍ଛା ବୁଲିପାରିବେନି, ଚେକ ପୋଷ୍ଟରେ ପୋଲିସ ମାଗିବ ଅନୁମତି ପତ୍ର । ସନ୍ତୋଷଜନକ ଉତ୍ତର ଦେଲେ ଆଗକୁ ଯିବେ, ନଚେତ ଫାଇନ୍ ଗଣିବେ ।

444

କନକ ବ୍ୟୁରୋ : କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ସମୟରେ ବିଭିନ୍ନ କଟକଣାକୁ କଡାକଡି କରାଯାଇଛି । ତେବେ ଗତ ୧୫ ଦିନ ମଧ୍ୟରେ କରୋନା ନିୟମ ଭାଙ୍ଗିଥିବା ଲୋକଙ୍କ ଠାରୁ ୨ କୋଟି ୮୦ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି । ୭୧ଟି ମାମଲା ରୁଜୁ କରାଯାଇଛି, ୨୬୯ ଜଣଙ୍କୁ ଗିରଫ କରାଯାଇଛି ଏବଂ ୮୩୦୦ ଗାଡିକୁ ସିଜ୍ କରାଯାଇଛି ବୋଲି କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ଯଶବନ୍ତ ଜେଠୱା । ସେହିଭଳି କରୋନା ଔଷଧ କଳାବଜାରୀ ରୋକିବାକୁ ୨୨ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ କରି ଏହା ଉପରେ ନଜର ରଖାଯାଇଛି । ଯଦି କେହି କଳାବଜାରୀ କରୁଥିବାର ଧରାପଡନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାବାଦ୍ ଯଦି କୌଣସି ଘରୋଇ ହସ୍ପିଟାଲ ନିୟମ ବାହାରେ ଅଧିକ ଟଙ୍କା ନେଉଥିବାର ଜଣାପଡେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ଯଶବନ୍ତ । ହସ୍ପିଟାଲ ଗୁଡିକ ଏଭଳି କରୁଥିଲେ ୧୧୨ ନମ୍ବରରେ କଲ କରି ଜଣାଇପାରିବେ । ଏହାବାଦ୍ ଦ୍ୱିତୀୟ ଡୋଜ ଟିକା ନେବାକୁ ଅପେକ୍ଷା କରନ୍ତୁ । ଅଯଥାରେ ଟିକାକରଣ କେନ୍ଦ୍ରରେ ଭିଡ କରନ୍ତୁ ନାହିଁ ବୋଲି କହିଛନ୍ତି ଯଶବନ୍ତ ।

ଅନ୍ୟପଟେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଲକଡାଉନରେ ଟ୍ୱିନସିଟିବାସୀ ପୋଲିସକୁ ଯଥେଷ୍ଟ ସହଯୋଗ କରୁଛନ୍ତି । ଅମାନିଆଙ୍କୁ ରୋକିବାକୁ କଟକଣାକୁ କଡାକଡି କରାଯାଇଛି । ତେବେ ଏହାସତ୍ତେ୍ୱ ମଧ୍ୟ ଲକଡାଉନରେ ମର୍ଣ୍ଣିଂ ୱାକ ଓ ସାଇକେଲିଂ କରୁଥିବାର ଦେଖିବାକୁ ମିଳୁଛି । ମର୍ଣ୍ଣିଂ ୱାକରେ ଲୋକେ ଭିଡ ଜମାଉଥିବାର ଦେଖିବାକୁ ମିଳୁଛି । ତେଣୁ ଲକଡାଉନ ସମୟରେ ମର୍ଣ୍ଣିଂ/ଇଭନିଙ୍ଗ ୱାକ ବାହାନାରେ ରାସ୍ତା ଉପରକୁ ଆସି ଭିଡ଼ ନ କରିବାକୁ କହିଛନ୍ତି ପୋଲିସ କମିଶନର । ଯଦି କେହି ଉଲ୍ଲଂଘନ କରେ ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିଭଳି ଳକଡାଉନରେ କାମ କରୁଥିବା କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ ଦେବାକୁ କମ୍ପାନି ଗୁଡିକୁ କୁହାଯାଇଛି । ଡିସିପି ଅଫିସରୁ ମିଳିଥିବା ଅନୁମତି ପତ୍ର ଦେଖାଇ ଅଫିସକୁ ଯାଇପାରିବେ କର୍ମଚାରୀ । ଏହାବାଦ୍ ଲକଡାଉନରେ ବରିଷ୍ଠ ଲୋକଙ୍କ ସହାୟତା ପାଇଁ ପୋଲିସ ପକ୍ଷରୁ ୮୦୯୩୦୨୮୧୦୦ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ବିବାହ ଓ ଅନ୍ତିମସଂସ୍କାର ପାଇଁ ହ୍ୱାଟସଆପ ଯୋଗେ ଲୋକେ ଅନୁମତି ନେଇପାରିବେ ବୋଲି କହିଛନ୍ତି ପୋଲିସ କମିଶନର ।