ଇଞ୍ଜିନିୟରିଂ ପାଠ ଠାରୁ ମୁହଁ ମୋଡି ନେଉଛନ୍ତି ଛାତ୍ରଛାତ୍ରୀ । ଫାଙ୍କା ପଡିଛି ୭୦ ପ୍ରତିଶତରୁ ଅଧିକ ସିଟ୍, ବିଧାନସଭାରେ ଇଞ୍ଜିନିୟରିଂ କଲେଜର ବାସ୍ତବ ସ୍ଥିତି ଜଣାଇଲେ ବିଭାଗୀୟ ମନ୍ତ୍ରୀ ।

737

କନକ ବ୍ୟୁରୋ : ଇଞ୍ଜିନିୟରିଂ କଲେଜକୁ ଘାରିଛି ଶନି ଦଶା । ଚାକିରି ନାହିଁ କି ଆଉ ଭଲ ଦରମା ମଧ୍ୟ ନାହିଁ । ଦିନକୁ ଦିନ ଏହି କାରଣ ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ଠାରୁ ଦୂରେଇ ନେଉଛି । ବିଧାନସଭାରେ ବିଧାୟକ ତାରା ବାହିନୀପତିଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେବା ସହ ରାଜ୍ୟରେ ଇଞ୍ଜିନିୟରିଂ କଲେଜ ଗୁଡିକର ବାସ୍ତବ ସ୍ଥିତି ସମ୍ପର୍କରେ ଜଣାଇଛନ୍ତି ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରେମାନନ୍ଦ ନାୟକ ।

ରାଜ୍ୟରେ ଏବେ ୯୩ଟି ଇଞ୍ଜିନିୟରିଂ କଲେଜ ରହିଛି । ଯେଉଁଥିରୁ ୩ଟି କଲେଜକୁ ବନ୍ଦ କରିବାକୁ କଲେଜ କର୍ତ୍ତୃପକ୍ଷ ଅନୁମତି ନେଇଛନ୍ତି । ଚାଲୁରହିଥିବା ଇଞ୍ଜିନିୟରିଂ କଲେଜରେ ୩୧ ହଜାର ୧୭୪ଟି ସିଟ୍ ରହିଥିବା ବେଳେ ୨୦୧୯-୨୦ ଶିକ୍ଷା ବର୍ଷରେ ନାମ ଲେଖାଇଛନ୍ତି ୧୧ ହଜାର ୭୪୫ ଜଣ ଛାତ୍ରଛାତ୍ରୀ । ଯେଉଁଥିପାଇଁ ୧୯ ହଜାର ୪୨୯ଟି ସିଟ୍ ଫାଙ୍କା ପଡିଛି । ଗତବର୍ଷ ରାଜ୍ୟରେ ଥିବା ଇଞ୍ଜିନିୟରିଂ କଲେଜରେ ୫୦ ପ୍ରତିଶତ ସିଟ୍ ଫାଙ୍କା ପଡିଥିଲା । ଆଉ ଉଭୟ ଘରୋଇ ଓ ସରକାରୀ ଇଞ୍ଜିନିୟରିଂ କଲେଜରେ ସିଟ୍ ସଂଖ୍ୟା କମାଇ ଦିଆଯାଇଥିଲା । ଏହାସତ୍ତେ୍ୱ ମଧ୍ୟ ଇଞ୍ଜିନିୟରିଂ କଲେଜର ଦୁର୍ଦ୍ଦଶା ଶେଷ ହୋଇନାହିଁ ।

ଗତବର୍ଷ ଅପେକ୍ଷା ଚଳିତବର୍ଷ ଇଞ୍ଜିନିୟରିଂ କଲେଜରେ ଅଧିକ ସିଟ୍ ଫାଙ୍କା ପଡିଛି । ଆଉ ଏଭଳି ସ୍ଥିତିରେ ନୂଆ ଇଞ୍ଜିନିୟରିଂ କଲେଜ ଖୋଲିବା ପାଇଁ ରାଜ୍ୟ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ଅନ୍ୟପଟେ ତ୍ରୁଟିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଓ ରାଜ୍ୟ ତଥା କେନ୍ଦ୍ର ସରକାର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ନିଯୁକ୍ତି ସୃଷ୍ଟି କରିବାରେ ବିଫଳତା ଇଂଜିନିୟରିଂ ପ୍ରତି ବିତୁଷ୍ଣାଭାବ ସୃଷ୍ଟି କରାଉଛି ବୋଲି ମତ ରଖିଛନ୍ତି ଶିକ୍ଷାବିତ୍ ।