ଚିନ୍ତା ବଢ଼ାଉଛି କରୋନାର ନୂଆ ଲହର: ୭ ଦିନରେ ୭୮% ସଂକ୍ରମଣ ବୃଦ୍ଧି, ୨୧୦ ଦିନ ପରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

364

କନକ ବ୍ୟୁରୋ: ସମଗ୍ର ଦେଶରେ ଏବେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ସମେତ ଅନ୍ୟ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ଗ୍ରାଫ ଲଗାତର ବଢ଼ିଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ସଂକ୍ରମଣ ମାମଲା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଶନିବାର ଦେଶରେ ୧ହଜାର ୮୯୦ ମାମଲା ଚିହ୍ନଟ ହୋଇଥିଲା, ଯାହା ଗତ ୨୧୦ ଦିନରେ ସର୍ବାଧିକ । ଏମିତିକି ଗତ ୭ ଦିନରେ ସଂକ୍ରମଣ ହାର ୭୮ ପ୍ରତିଶତ ବୃଦ୍ଧି ପାଇଛି । ତେବେ ୨୪ ଘଂଟାରେ ଦେଶରେ ୧୮୦୫ ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ପଜିଟିଭିଟି ହାର ୩.୧୯ ପ୍ରତିଶତକୁ ବୃଦ୍ଧି ପାଇଛି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତରେ ଏବେ ଆକ୍ଟିଭ୍ ମାମଲା ୧୦ହଜାର ଅତିକ୍ରମ କରିଛି । ରବିବାର ଏହି ସଂଖ୍ୟା ୯,୪୩୩ ଥିଲା ବେଳେ ଏବେ ଆକ୍ଟିଭ ମାମଲା ୧୦,୩୦୦ରେ ପହଂଚିଛି । ଯାହା ୧୩୪ ଦିନ ପରେ ସର୍ବାଧିକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟରୁ ଜଣାପଡ଼ିଛି । ସେହିପରି ଦେଶରେ ଆଉ ୬ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୫, ୩୦, ୮୩୭ରେ ପହଂଚିଛି ।

କେଉଁଠି ବଢ଼ୁଛି ସଂକ୍ରମଣ?
– ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୩୯୭ ମାମଲା ଚିହ୍ନଟ ହୋଇଛି
– ଗୁଜରାଟରେ ୩୦୩ ମାମଲା ସାମ୍ନାକୁ ଆସିଛି
– କେରଳରେ ୨୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
– କର୍ଣ୍ଣାଟକରେ ୨୦୯, ଦିଲ୍ଲୀରେ ୧୫୩ ମାମଲା ସାମ୍ନାକୁ ଆସିଛି
– ଗତ ୨୪ ଘଂଟାରେ କେରଳରେ ୨ଜଣଙ୍କ ମୃତ୍ୟୁ ହୋଇଛି
– ଉତ୍ତର ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ଼ରେ ଗୋଟିଏ ଲେଖାଏଁ ମୃତ୍ୟୁ ହୋଇଛି

ଉତର ପ୍ରଦେଶର ଲଖିମପୁର ଖିରୀ ଜିଲ୍ଲାରେ କରୋନା ବିସ୍ଫୋରଣ ଦେଖିବାକୁ ମିଳିଛି । ଏଠାକାର ଏକ ସ୍କୁଲରେ ୩୭ଜଣ ଛାତ୍ରଛାତ୍ରୀ ଓ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତ ହୋଇଥିବା ସବୁ ଛାତ୍ରଛାତ୍ରୀ ସୁସ୍ଥ ଥିବା ସ୍ଥାନୀୟ ଜିଲ୍ଲା ଡିଏମ୍ ସୂଚନା ଦେଇଛନ୍ତି । ସେପଟେ ମହାରାଷ୍ଟ୍ରରେ ମୋଟ ସଂକ୍ରମଣ ସଂଖ୍ୟା ୨୧୧୭ରେ ପହଂଚିଛି । କେବଳ ମୁମ୍ବାଇରେ ଗତ ୨୪ ଘଂଟା ଭିତରେ୧୨୩ ନୂଆ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ ବଢ଼ୁଥିବାର ଦେଖି ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି । ସେପଟେ ଜାପାନରେ ଶିଶୁଙ୍କୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଜାପାନରେ ୧୦ ପ୍ରତିଶତରୁ ଅଧିକ ଶିଶୁ କରୋନାଜନିତ ମସ୍ତିଷ୍କ ରୋଗରେ ପ୍ରାଣ ହରାଇଛନ୍ତି । ଜାନୁଆରୀ, ୨୦୨୦ରୁ ମେ’ ୨୦୨୨ ମଧ୍ୟରେ ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି ।

ସେପଟେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟକୁ ଚିଠି ଲେଖି ଟେଷ୍ଟିଂ ବଢାଇବା ସହ ସଂକ୍ରମଣ ଉପରେ ସତର୍କ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କରୋନାକୁ ଆୟୋଜିତ ବୈଠକରେ ଟେଷ୍ଟିିଂ, ଟ୍ରାକିଂ ସହିତ କୋଭିଡ୍ ନିର୍ଦ୍ଦେଶାନାମା ଉପରେ ଗୁରୁତ୍ୱାରୋପ କରିବାକୁ କହିଥିଲେ ।