୬ ବର୍ଷ ହେଲା ନିଯୁକ୍ତି ବନ୍ଦ, ଅତିଥି ଅଧ୍ୟାପକରେ ଚାଲିଛି ରେଭେନ୍ସା । 

157

କନକ ବ୍ୟୁରୋ : ଏକଦା ସାରା ରାଜ୍ୟରେ ଶିକ୍ଷାର ଏନ୍ତୁଡ଼ିଶାଳ ଓ ତଥା ଗୁଣାତ୍ମକ ମାନର ସର୍ବଶ୍ରେଷ୍ଠ ମାପଦଣ୍ଡ ଭାବେ ପରିଚୟ ପାଇଥିବା ରେଭେନ୍ସାରେ ଶିକ୍ଷାର ଗୁଣାତ୍ମକ ମାନ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ମହାବିଦ୍ୟାଳୟ ସମୟରେ ରେଭେନ୍ସାର ଯେଉଁ ମାନ ଥିଲା, ବିଶ୍ବବିଦ୍ୟାଳୟ ପାଲଟିବା ପରେ ସେଥିରେ ବୃଦ୍ଧି ହେବା ପରିବର୍ତ୍ତେ କ୍ରମାଗତ ହ୍ରାସ ପାଇ ଚାଲିଛି। ଅନ୍ୟାନ୍ୟ କେତେକ କାରଣ ସହିତ ଅଧ୍ୟାପକଙ୍କ ଅଭାବ ଓ ନୂତନ ଅଧ୍ୟାପକ ନିଯୁକ୍ତିରେ ବିଳମ୍ବ ଏହା ପଛର ଅନ୍ୟତମ କାରଣ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଦୀର୍ଘବର୍ଷ ଧରି ୧୭୯ ଅଧ୍ୟାପକ ପଦବି ପୂରଣ ହୋଇପାରିନାହିଁ।

ବିଶ୍ୱବିଦ୍ୟାଳୟ ହେବା ପ‌ରେ ରେଭେନ୍ସାରେ ୩୪ଟି ସ୍ନାତକ ବିଭାଗ, ୩୬ଟି ସ୍ନାତକୋତ୍ତର ବିଭାଗ ସହିତ ୨୪ଟି ଏମଫିଲ୍‌ ଓ ପିଏଚଡି ପାଠ୍ୟକ୍ରମ ପାଇଁ ୩୮୫ରୁ ଅଧିକ ଅଧ୍ୟାପକ ଆବଶ୍ୟକ। ତେବେ ବର୍ତ୍ତମାନ ବିଶ୍ବବିଦ୍ୟାଳୟରେ ଅଛନ୍ତି ୭୦ଜଣ ସ୍ଥାୟୀ ଓ ୧୪୦ ଜଣ ଅତିଥି ଅଧ୍ୟାପକ। ବିଭିନ୍ନ କାରଣ ନେଇ ରେଭେନ୍ସା‌ ବିଶ୍ୱବିଦ୍ୟାଳୟରେ ଦୀର୍ଘବର୍ଷ ଧରି ୧୭୯ ଅଧ୍ୟାପକ ପଦବି ପୂରଣ ହୋଇପାରିନାହିଁ। ବର୍ତ୍ତମାନ ରେଭେନ୍ସାରେ ନୂତନ ଅଧ୍ୟାପକ ନିଯୁକ୍ତି ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା କରିବାକୁ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର କେବଳ ବିଶ୍ୱବିଦ୍ୟାଳୟରେ ଖାଲିଥିବା ସହକାରୀ ପ୍ରଫେସର ପଦବି ପୂରଣ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ରେଭେନ୍ସାରେ ୮୦ରୁ ୯୦ ଆସିଷ୍ଟାଣ୍ଟ ପ୍ରଫେସର ପଦବି ପୂରଣ ହେ‌ବ ବୋଲି ଆଶା କରାଯାଉଛି। ମାତ୍ର, ଖାଲି ପଡ଼ିଥିବା ଅନ୍ୟ ୮୦ରୁ ଅଧିକ ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ପଦବି ତା ପରେ ବି ଖାଲି ରହିବ। ଏ ସମସ୍ତ ପଦବି ପୂରଣ କରା ନ ଯିବା ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ ବଢ଼ିବା ସହିତ ରେଭେନ୍ସା ତା’ ପୂର୍ବ ଗରିମା ବଜାୟ ରଖିବା ସମ୍ଭବ ହେବ ନାହିଁ ବୋଲି ବୁଦ୍ଧିଜୀବୀଙ୍କ ମତପ୍ରକାଶ ପାଇଛି।

ରେଭେନ୍ସା ପକ୍ଷରୁ ୨୦୧୪ରୁ ଅଧ୍ୟାପକ ନିଯୁକ୍ତିକୁ ନେଇ ବାରମ୍ବାର ବିଜ୍ଞପ୍ତି ପ୍ରକାଶ ପାଉଥିଲେ ବି ଏହା ବିଭିନ୍ନ ନ୍ୟାୟିକ ମାମଲାରେ ଛନ୍ଦି ହୋଇ ବନ୍ଦ ରହିଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଉଥିବା ନିଯୁକ୍ତି ବିଜ୍ଞପ୍ତିରେ ବିଭିନ୍ନ ଅନିୟମିତତା ନେଇ ମାମଲା ଅଦାଲତକୁ ଯିବା ପରେ ୨୦୧୪ରେ ପ୍ରକାଶ ପାଇଥିବା ବିଜ୍ଞାପନକୁ ୨୦୧୫ରେ ଓ ୨୦୧୬ର ବିଜ୍ଞପ୍ତିକୁ ୨୦୧୮ରେ ଅଦାଲତ ରଦ୍ଦ କରିଥିଲେ। ଏହାପରେ ୨୦୧୮ରେ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟରେ ନୂଆ ନିଯୁକ୍ତି ପ୍ରକ୍ରିୟାକୁ ଏକବର୍ଷରୁ ଅଧିକ ସମୟ ପାଇଁ ବନ୍ଦ ରଖାଯାଇଥିଲା। ପରେ ବିଶ୍ୱବିଦ୍ୟାଳୟ ତରଫରୁ ରେଭେନ୍ସାରେ ଆବଶ୍ୟକ ଥିବା ସମସ୍ତ ପଦବି ପୂରଣ ପାଇଁ ୨୦୨୦ ଜାନୁଆରିରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର କରୋନା ଓ ପରେ ଗତବର୍ଷ ସେପ୍ଟେମ୍ବରରେ ‘ଓଡ଼ିଶା ୟୁନିଭରସିଟିସ୍‌ (ଆମେଣ୍ଡମେଣ୍ଟ୍‌) ଅର୍ଡିନାନ୍ସ ଆକ୍ଟ-୨୦୨୦ ’ରେ ଅଧ୍ୟାପକ ନିଯୁକ୍ତିରେ ପରିବର୍ତ୍ତନ କରାଯାଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟ ବଦଳରେ ସରକାର ନୂଆ ଅଧ୍ୟାପକ ନିଯୁକ୍ତି ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା କରିବେ ବୋଲି ନୂଆ ନିୟମ କରିଲେ। ଏହି କାରଣ ଯୋଗୁଁ ୨୦୨୦ ଜାନୁଆରିରେ ରେଭେନ୍ସା ପକ୍ଷରୁ ପ୍ରକାଶ ପାଇଥିବା ନିଯୁକ୍ତି ବିଜ୍ଞପ୍ତି ଆଗକୁ ବଢ଼ିପାରିଲା ନାହିଁ।

ଏବେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟରେ କେବଳ ଆସିଷ୍ଟାଣ୍ଟ ପ୍ରଫେସର ପଦବି ପୂରଣ ପାଇଁ ବିଜ୍ଞାପନ ବାହାର କରିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ପଦବି ପାଇଁ କିଛି ଘୋଷଣା କରିନାହାନ୍ତି। ରେଭେନ୍ସାରେ ଦୀର୍ଘବର୍ଷ ଧରି ନୂଆ ଅଧ୍ୟାପକ ନିଯୁକ୍ତି ହୋଇ ନଥିବାରୁ ଶିକ୍ଷାଦାନରେ ଗୁରୁତର ସମସ୍ୟା ଦେଖାଦେଉଛି। ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାକୁ ଦୃଷ୍ଟିରେ ରଖି ରେଭେନ୍ସା ଉପରେ କେବେ ଦୃଷ୍ଟିଦେବେ, ତା’ଉପରେ ରେଭେନ୍ସାଭିଆନ୍‌ ଓ ବୁଦ୍ଧିଜୀବୀଙ୍କ ନଜର ରହିଛି।