ଆମକୁ ଉଦ୍ଧାର କର । କରୋନା ଭୟରେ ୧୫ ଦିନ ହେବ ଜାପାନର ଡାଇମଣ୍ଡ ପ୍ରିନସେସ୍ ଜାହାଜରେ ଫଶି ରହିଛନ୍ତି ଓଡ଼ିଆ ଯୁବକ ଶିବାଶିଷଙ୍କ ସମେତ ୧୪୨ ଭାରତୀୟ, ଉଦ୍ଧାର ପାଇଁ ପରିବାର ଲୋକ କଲେ ନିବେଦନ

865

କନକ ବ୍ୟୁରୋ : ଜାପାନର ୟକୋହମା ଜଳସୀମାରେ ଡାଇମଣ୍ଡ ପ୍ରିନସେସ ଜାହାଜରେ ଫଶିଛନ୍ତି ଓଡଆ ଇଂଜିନିୟର । କରୋନା ଭୟରେ ୧୫ ଦିନ ହେବ ୧୪୨ ଭାରତୀୟଙ୍କ ସହ ଫଶିରହିଛନ୍ତି ବ୍ରହ୍ମପୁରର ଶିବାଶିଷ ନାୟକ । ଶିବାଶିଷଙ୍କ କରୋନା ଭୂତାଣୁ ସାମ୍ପୁଲ ଟେଷ୍ଟରେ ନେଗେଟିଭ ଆସିଛି । ଜାପାନ ସରକାର ବାରମ୍ବାର ନିଷ୍ପତି ବଦଳାଇବା ଯୋଗୁଁ ଜାହାଜରେ ଫସିରହିଥିବା ଯାତ୍ରୀ କେବେ ଫେରିବେ ତାଙ୍କୁ ଆଶଙ୍କା ଦେଖାଦେଇଛି ।

ଶିବାଶିଷ ଗୁରଗାଓଁ ଠାରେ ହ୍ୟୁଗସ ସାଇସଟେକ ପ୍ରାଇଭେଟ ଲିମିଟେଡ କମ୍ପାନିରେ ଜଣେ ସଫ୍ଟୱେୟାର ଇଂଜିନିୟର ଭାବେ କାମ କରୁଥିଲେ । କମ୍ପାନୀ ନିର୍ଦ୍ଦେଶରେ ଶିବାଶିଷ ଓ ଅନ୍ୟ ୫ ସହଯୋଗୀ ଜାନୁଆରୀ ୧୦ ତାରିଖରୁ ନୂଆଦିଲ୍ଲୀରୁ ବାହାରି ମାଲେସିଆ ପହଞ୍ଚିଥିଲେ । ଜାହାଜରେ ବସିଥିବା ୩୭୦୦ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ କରୋନା ଭାଇରସରେ ସଂକ୍ରମିତ ହେବା ପରେ ଜାନୁଆରୀ ୨୫ରେ ତାଙ୍କୁ ହଂକଂରେ ଓହ୍ଲାଇଦିଆଯାଇଥିଲା । ଏବେ ଜାହାଜରେ ୫୪୫ ଜଣଙ୍କ କର୍ମଚାରୀଙ୍କ ଦେହରେ ପଜିଟିଭ ଥିବା ଜଣାପଡିଛି ।

୩ ଜଣଙ୍କ ଭାରତୀୟଙ୍କ ଦେହରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ଯେଉଁଥିପାଇଁ ଜାପାନ ସରକାର ଏହି ଜାହାଜରେ ଥିବା ଲୋକଙ୍କୁ ଦେଶ ଭିତରେ ପଶିବାକୁ ବାରଣ କରିଛନ୍ତି । ଏଭଳି ସ୍ଥଳେ ଜାହାଜରେ ଥିବା ଭାରତୀୟ ଉଦ୍ଧାର ପାଇଁ ବାରମ୍ବାର ଅନୁରୋଧ କରିଛନ୍ତି । କିନ୍ତୁ ଏଯାଏଁ ସେମାନଙ୍କୁ ଉଦ୍ଧାର ପାଇଁ ସେଭଳି ତତ୍ପରତା ଦେଖାଯାଇନାହିଁ । ଏଭଳି ସ୍ଥିତିରେ ଜାହାଜରେ ଥିବା ଓଡ଼ିଆ ଯୁବକ ଶିବାଶିଷ ଏକ ଭିଡ଼ିଓ ମେସେଜରେ ଉଦ୍ଧାର କରିବାକୁ ଉଭୟ ରାଜ୍ୟ ଓ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । ଯେହେତୁ ସେମାନଙ୍କୁ କରୋନା ଏଯାଏଁ ସଂକ୍ରମିତ କରିନାହିଁ ତେଣୁ ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରିବାକୁ ପରିବାର ଲୋକ ମଧ୍ୟ ଅନୁରୋଧ କରିଛନ୍ତି ।