ପ୍ରତାପଙ୍କ ସମ୍ପତ୍ତିର ପୂରା ହିସାବ । ବିଭିନ୍ନ ସ୍ଥାନରେ ଛିଡା ହୋଇଛି କୋଟି କୋଟି ଟଙ୍କାର ବିଲ୍ଡିଂ, ସେୟାର ମାର୍କେଟରେ ଲାଗିଛି କୋଟିଏରୁ ଅଧିକ ଟଙ୍କା ।

84

କନକ ବ୍ୟୁରୋ : କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ଦୁର୍ନୀତି ବିରୋଧୀ ଅଭିଯାନ ଜରିଆରେ ସରକାର ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗହଣ କରିଛନ୍ତି । ପ୍ରତାପ ଏବେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ରାଜ୍ୟ ପୁଲିସ ହାଉସିଂ ନିଗମର ପୂର୍ବତନ ଡେପୁଟି ମ୍ୟାନେଜର ଥିଲେ ପ୍ରତାପ । ଭିଜିଲାନ୍ସ ରେଡ ବେଳେ ତାଙ୍କ ପାଖରୁ ୧୫ କୋଟି ଟଙ୍କାର ସମ୍ପତି ଜବତ ହୋଇଛି । ସେ ତାଙ୍କ ଆୟରୁ ୧୦ ଗୁଣା ଅଧିକ ସମ୍ପତି ଠୁଳ କରିଥିଲେ । ତଦନ୍ତ ବେଳେ ଭିଜିଲାନ୍ସ ଏହା ଜାଣିବାକୁ ପାଇଛି । ପୂର୍ବରୁ ପ୍ରତାପ ଚାକିରି କାଳ ମଧ୍ୟରେ ଦୁର୍ନୀତି ଅଭିଯୋଗରେ ମଧ୍ୟ ନିଲମ୍ବିତ ହୋଇଥିଲେ । ପ୍ରତାପଙ୍କୁ ମିଶାଇ ୧୩୧ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ବହିଷ୍କୃତ କରିଛନ୍ତି ସରକାର ।

ଏହାସହ କୁବେର ବାବୁ ପ୍ରତାପ ସାମଲଙ୍କ କୋଟି କୋଟି ଟଙ୍କା ସମ୍ପତ୍ତିର ହିସାବ ଦେଇଛି ଭିଜିଲାନ୍ସ । ପ୍ରତାପଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ରହିଛି ୧୪ କୋଟି ୮୮ ଲକ୍ଷ ୯୧ ହଜାର ୧୯୪ ଟଙ୍କା । ଯାହାକୁ ଜବତ କରିଛି ଭିଜିଲାନ୍ସ । ନଗଦ ୩୮ ଲକ୍ଷ ୧୨ ହଜାର ୯୦୦ ଟଙ୍କା ଭିଜିଲାନ୍ସ ଜବତ କରିଥିଲା । ସେହିଭଳି ଭୁବନେଶ୍ୱର ଗୋଠପାଟଣାରେ ୨୦,୩୫୦ ସ୍କୋୟାର ଫୁଟ ଅଞ୍ଚଳରେ ନିର୍ମିତ ୫ ମହଲା କୋଠା ଯାହାର ମୂଲ୍ୟ ୩.୫ କୋଟି ରହିଛି । ଆଇଆରସି ଭିଲେଜରେ ଥିବା ୪ ମହଲା କୋଠାର ଦାମ ୬୫ ଲକ୍ଷ ଟଙ୍କା ରହିଛି । ବାଲେଶ୍ୱର ବେତଡାରେ ଥିବା ୨ ମହଲା କୋଠା ଯାହାର ମୂଲ୍ୟ ୪୪ ଲକ୍ଷ, ଭଦ୍ରକ ବାସୁଦେବପୁରରେ ଥିବା ୪ଟି ପ୍ଲଟ ଓ ଗୋଟିଏ ବିଲ୍ଡିଂ ଯାହାର ମୂଲ୍ୟ ୧.୫ କୋଟି ରହିଛି ତାହାକୁ ଜବତ କରିଛି ଭିଜିଲାନ୍ସ ।

ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ସହ ୨୫ଟି ପ୍ଲଟର ସେଲ ଡିଡ୍ ରହିଛି । ଯାହାର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ୪୧୨ ଟଙ୍କା । ସେୟାର ମାର୍କେଟରେ ୧ କୋଟି ୭ ଲକ୍ଷ ୪୧ ହଜାର ୮୩୧ ଟଙ୍କା ନିବେଶ କରିଛନ୍ତି ପ୍ରତାପ । ଏହାସହ ୧.୬ କୋଟି ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟ୍ ରହିଛି, ୫୭ ଲକ୍ଷ ୭୧ ହଜାର ୧୫୦ ଟଙ୍କାର ଜୀବନ ବୀମା ରହିଛି । ଏହାବାଦ୍ ୧.୨ କୋଟି ଟଙ୍କା ଅନ୍ୟ ଆକାଉଣ୍ଟକୁ ପଠାଯାଇଛି । ୨ଟି ଓଡ଼ିଆ ଫିଲ୍ମରେ ୫୦ ଲକ୍ଷରୁ ଅଧିକ ଟଙ୍କା ନିବେଶ କରିଛନ୍ତି । ରାଧା କ୍ରିଷ୍ଣ ପ୍ରଡକ୍ସନ ଜରିଆରେ ଟଙ୍କା ନିବେଶ କରାଯାଇଛି । ଏହାସହ ୧୩ ଲକ୍ଷ ୪୩ ହଜାର ଟଙ୍କା ମୂଲ୍ୟର ଏକ ହୁଣ୍ଡାଇ କାର ରହିଛି । ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୭ଟି ପ୍ଲଟ, ୧ଟି ଫ୍ଲାଟ ଓ ଗୋଟିଏ ବିଲ୍ଡିଂ ଥିବାବେଳେ ଏହାକୁ ଜବତ କରିଛି ଭିଜିଲାନ୍ସ ।