କନକ ବ୍ୟୁରୋ : ସାମ୍ନାକୁ ଆସିଲା ସାଇବର ଠକେଇର ବାର୍ଷିକ ରିପୋର୍ଟ । ବାର ମାସରେ ଗୋଲ ହେଇଛି ୧୩ କୋଟି ଟଙ୍କା । ନାନା ରକମର ପ୍ରଲୋଭନ ଦେଖାଇ ଚୁନା ଲଗାଇଛନ୍ତି ସାଇବର ଲୁଟେରା । ଏଇ ବର୍ଷକ ଭିତରେ ରାଜଧାନୀରେ ସାଇବର ଠକେଇ ବଢିଥିବା ବେଳେ ସାଇବର ପୋଲିସର ସଫଳତା ଓ ବିଫଳତାକୁ ନେଇ ଆସିଛି ତାଜୁବ କରିଦେବା ଭଳି ରିପୋର୍ଟ ।
ଆର୍ଥିକ ନେଣଦେଣ ଡିଜିଟାଲ ହେବାପରଠୁ ସାଇବର ଠକେଇର ମାତ୍ରା ବଢିବାରେ ଲାଗିଛି । ସ୍ମାର୍ଟ ଲୋକଙ୍କୁ ସ୍ମାର୍ଟ ଉପାୟରେ ଠକେଇ କରୁଛନ୍ତି ସାଇବର ଲୁଟେରା । କେବେ କ୍ରେଡିଟ କାର୍ଡ, ପୁଣି କେବେ ଆପ୍, ପୁଣି କେବେ ପୁଙ୍ଗୁଳା ଦେହ ଦେଖାଇ ଲୋକଙ୍କୁ କଳାକନା ବୁଲାଇ କଲବଲ କରିଛନ୍ତି । ୨୦୨୨ ମସିହାରେ ରାଜଧାନୀବାସିନ୍ଦାଙ୍କ ନିଦ ହଜାଇ ଦେଇଛନ୍ତି ଏମାନେ । ଏଇ ବର୍ଷକର ସାଇବର ଠକେଇ ରିପୋର୍ଟରୁ ଏହା ସ୍ପଷ୍ଟ ଜଣାପଡିଛି ।
ସାଇବର ଠକେଇ ୨୦୨୨ର ରିପୋର୍ଟ
ବର୍ଷକରେ ୩,୮୧୧ଟି ସାଇବର ଲୁଟ ମାମଲା
ସୋସିଆଲ ମିଡିଆରେ ୫୬୫ଟି ଠକେଇ
୩,୨୪୬ଟି ଫାଇନାନ୍ସସିଆଲ ଫ୍ରଡ
ବର୍ଷକରେ ୧୨କୋଟି ୯୬ଲକ୍ଷ ଟଙ୍କା ସାଇବର ଲୁଟ୍
ମୋଟ ଲୁଟରୁ ମାତ୍ର ୧ କୋଟି ୨୩ ଲକ୍ଷ ଟଙ୍କା ଫେରିଛି
୧ କୋଟି ୪୬ ଲକ୍ଷ ଟଙ୍କାକୁ ଅଚଳ କରିଛି ସାଇବର ଥାନା
ସାଇବର ଲୁଟ ଘଟଣାରେ ୩୮ ଅଭିଯୁକ୍ତ ଗିରଫ ହୋଇଛନ୍ତି
ସାଇବର ଠକେଇରେ ଲୁଟ ହୋଇଥିବା ବାକି ଟଙ୍କା ଫେରାଇ ଆଣିବାକୁ ଆଶା ରଖିଛି ସାଇବର ଥାନା ପୁଲିସ ।
ସାଇବର ପୁଲିସ ଚଳିତ ବର୍ଷ ବଡ ବଡ ସାଇବର ଲୁଟ ଘଟଣାର ପର୍ଦ୍ଦାଫାସ କରିବା ସହ କିଛି ଠକଙ୍କୁ ଧରିବାରେ ସଫଳ ହୋଇଛି । କ୍ରେଡିଟ କାର୍ଡ, ଇଲେକ୍ଟ୍ରି ବିଲ ପୈଠ, ଅନଲାଇନ ସପିଂ, ଟ୍ରାଭେଲ ଟିକେଟ ଠକେଇ ଭଳି ହଜାର ହଜାର ଅଭିଯୋଗ ଥାନାରେ ହୋଇଛି । ମାଳ ମାଳ ଅଭିଯୋଗର ଖୁଲାସା ନ କରି ଠକଙ୍କ ପାଖରେ ପହଂଚିବା ସାଇବର ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ କିଛି ଅଂଶରେ ସଫଳତା ମଧ୍ୟ ମିଳିଛି । ତେବେ କେବଳ ପୁଲିସ ଭରସାରେ ନରହି ଲୋକଙ୍କୁ ସଚେତନ ହେବାକୁ ଅପିଲ କରିଛି ସାଇବର ଥାନା ପୁଲିସ ।
ରାଜଧାନୀରେ ସାଇବର ଲୁଟ ମାମଲା ବଢିଚାଲିଛି । ହେଲେ ଆମକୁ ସଚେତନ ହେବାକୁ ପଡିବ, ଅନଲାଇନ କାରବାର କଲାବେଳେ ଅଜଣା ନମ୍ବର କିମ୍ବା ଲିଙ୍କଠାରୁ ଦୂରେଇ ରହିବା ଭଲ । ସଚେତନ ରହିଲେ ସୁରକ୍ଷିତ ରହିପାରିବା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/vlcsnap-2022-12-30-19h56m23s017.png)