କନକ ବ୍ୟୁରୋ: ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ଆଜି ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତାଜା ସୂଚନା ଅନୁସାରେ, ଗତ ୨୪ ଘଂଟା ମଧ୍ୟରେ ଦେଶରେ ସର୍ବାଧିକ ୧୦ ହଜାର ୯୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୩୯୬ ଜଣଙ୍କର କରୋନା ମହାମାରୀରେ ମୃତ୍ୟୁ ଘଟିଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫କୁ ବୃଦ୍ଧି ପାଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୪୯୮ରେ ପହଂଚିଛି । ଦେଶରେ ଏବେ ଆକ୍ଟିଭ୍ କେସ ସଂଖ୍ୟା ୧ ଲକ୍ଷ ୪୧ ହଜାର ୮୪୨ ରହିଛି । ଦେଶରେ ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷର ନିକଟତର ହେଲାଣି । ଏଠାରେ ଆକ୍ରାନ୍ତ ସଂଖ୍ୟା ୯୭ ହଜାର ୬୪୮କୁ ବଢିଗଲାଣି ।
ସେପଟେ, କରୋନା ସଂକ୍ରମଣ ମାମଲାରେ ବ୍ରିଟେନକୁ ଅତିକ୍ରମ କଲା ଭାରତ । କରୋନା ସଂକ୍ରମଣରେ ଭାରତ ଏବେ ବିଶ୍ୱ ର୍ୟାଙ୍କରେ ଚତୁର୍ଥ ସ୍ଥାନରେ ପହଂଚିଛି । ୱାଲଡୋ ମିଟର ରିପୋର୍ଟ ଅନୁସାରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫ ରେ ପହଂଚିଛି । କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ୯ ହଜାର ୫୦୦ କରୋନା ସଂକ୍ରମିତ କେସ ରେଜିଷ୍ଟର ହୋଇଛି । ସେହିପରି ଗୁରୁବାର ଗୋଟିଏ ଦିନରେ ୩୦୦ ରୁ ଅଧିକ କରୋନା ମୃତ୍ୟୁ ଘଟିଛି । ୱାଲଡୋ ମିଟର ରିପୋର୍ଟ ଅନୁସାରେ କରୋନା ସଂକ୍ରମଣରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଆମେରିକାରେ ୨୦ ଲକ୍ଷ ୭୬ ହଜାର ୪୯୫ ଟି ମାମଲା, ବ୍ରାଜିଲରେ ୭ ଲକ୍ଷ ୮୭ ହଜାର ୪୮୯ ଟି ମାମଲା ଏବଂ ଋଷିଆରେ ୫ ଲକ୍ଷ ୨ ହଜାର ୪୩୬ ଟି ମାମଲା ରହିଛି ।
ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ଏବଂ ତୃତୀୟ ସ୍ଥାନରେ ରହିଛି ଋଷିଆ । ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ମୋଟ ୮ ହଜାର ୧୦୨ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ର ସବୁଠୁ ଆଗରେ ରହିଛି । ଏଠାରେ ମୋଟ ୩ ହଜାର ୪୩୮ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଗୁଜରାଟରେ ୧,୩୪୭, ଦିଲ୍ଲୀରେ ୯୮୪, ମଧ୍ୟପ୍ରଦେଶରେ ୪୨୭, ପଶ୍ଚିମବଙ୍ଗରେ ୪୩୨, ତାମିଲନାଡୁରେ ୩୨୬, ଉତରପ୍ରଦେଶରେ ୩୨୧, ରାଜସ୍ଥାନରେ ୨୫୯ ଏବଂ ତେଲେଙ୍ଗାନାରେ ୧୫୬ ଜଣଙ୍କ ମୃତ୍ୟୁ ହୋଇଛି ।
Follow Us