କନକ ବ୍ୟୁରୋ: ପୁଣି ରକ୍ତରଞ୍ଜିତ ଗାଜା । ସବୁଠି ପଡିଛି ମାଳମାଳ ଶବ । କେଉଁଠି କୁନିକୁନି ଛୁଆଙ୍କ ଶବ ତ, ପୁଣି କେଉଁଠି ନିରୀହ ବାପା ମାଆଙ୍କ ଖଣ୍ଡବିଖଣ୍ଡିତ ଶରୀର ଏତେତେଣେ ପଡି ରହିଛି । ଶୁକ୍ରବାର ରାତିରେ ଗାଜା ଉପରେ ବଡଧରଣର ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ପାଲେଷ୍ଟାଇନ ନ୍ୟୁଜ ଏଜେନ୍ସି ସୂଚନା ଅନୁସାରେ ପୂର୍ବ ଗାଜାରେ ବିସ୍ଥାପିତ ଲୋକଙ୍କ ପିଲାଙ୍କ ପାଇଁ ନିର୍ମିତ ସ୍କୁଲରେ ଆକ୍ରମଣ ହୋଇଛି । ଘଟଣାରେ ୧୦୦ରୁ ଅଧିକ ଫିଲିସ୍ତିନିଙ୍କ ମୃତ୍ୟୁ ହୋଇଛି । ସ୍କୁଲରେ ନମାଜ ପାଠ ସମୟରେ ମିସାଇଲ ଓ ରକେଟ ମାଡ କରିଥିଲା ଇସ୍ରାଏଲ ।

Advertisment
  • ଇସ୍ରାଏଲର ଦାବି, ଆକ୍ରମଣ ସ୍ଥାନରେ ହମାସର ମୁଖ୍ୟାଳୟ ଥିଲା
  • ହମାସର କମାଣ୍ଡର ସେଠାରୁ ଆକ୍ରମଣ ନିର୍ଦ୍ଦେଶ ଦେଉଥିଲେ
  • ବିସ୍ଥାପିତ ଲୋକଙ୍କୁ ହତିଆର କରିଥିଲା ଆତଙ୍କୀ ସଗଂଠନ
  • ଆତଙ୍କୀଙ୍କୁ ହତ୍ୟା କରିବାକୁ ଆକ୍ରମଣ କରାଯାଇଥିଲା
  • ଟାର୍ଗେଟରେ ସାଧାରଣଲୋକ ନଥିଲେ

ଗତ ସପ୍ତାହରେ ୪ଟି ସ୍କୁଲକୁ ଆକ୍ରମଣ ଘଟଣାରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଛି । ୧୦ମାସ ଧରି ଚାଲିଥିବା ଯୁଦ୍ଧରେ ୫୦ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ହେଲାଣି । ଯୁଦ୍ଧ ଭିତରେ ଧର୍ମପୀଠ ଓ ସ୍କୁଲ ସୁରକ୍ଷିତ ଭାବି ଆଶ୍ରୟ ନେଉଥିବାବେଳେ ଏଠାରେ ମଧ୍ୟ ସେମାନଙ୍କ ଜୀବନ ବିପଦରେ ପଡିଛି । ରକ୍ତମୁଖା ଇସ୍ରାଏଲ ହମାସକୁ ମୂଳପୋଛ କରିବାକୁ ଘନଘନ ଆକ୍ରମଣ ଜାରି ରଖିଛି । ଯେଉଁଥିରେ ଗଲାଣି ହଜାର ସଂଖ୍ୟକ ନିରୀହଙ୍କ ଜୀବନ । ଯୁଦ୍ଧ କେବେ ସରିବ ଏହା ଅନୁମାନ କରିବା ମୁସ୍କିଲ କିନ୍ତୁ ଯେଉଁଭଳି ଭାବେ ନରସଂହାର ଚାଲିଛି ତାକୁ ସାରା ବିଶ୍ୱ ନିନ୍ଦା କରୁଛି ।