କନକ ବ୍ୟୁରୋ : ପାହାଡ କାଟି ରାସ୍ତା କରାଯାଉଛି । ହେଲେ ନଦୀ ଉପରେ ହୋଇପାରୁନି ପୋଲ । ଗାଁ ଗୁଡିକୁ ସହର ସହିତ ଯୋଡିବା ପାଇଁ ସରକାର ଗ୍ରାମ୍ୟ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ସଡକ ଯୋଜନା, ନଦୀରେ ପୋଲ ନିର୍ମାଣ ପାଇଁ ବିଜୁ ସେତୁ ଯୋଜନା କରିଛନ୍ତି । କିନ୍ତୁ ତାହା କାମରେ ଲାଗୁନଥିବାରୁ ଅମଳ ଅମଳ ଧରି ହଜାର ହଜାର ଲୋକେ ଦେଶୀ ଡଙ୍ଗା ଉପରେ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ।
ବାଲେଶ୍ୱର ଜିଲ୍ଲା ସଦର ବ୍ଲକର ସାର୍ଥା ଏବଂ ବରଡିଆ ପଂଚାୟତ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଶାଖା ନଦୀ ବରଡିଆ ଫେରିଘାଟ । ଏ ଘାଟ ଉପରେ ନିର୍ଭର କରନ୍ତି ଶ୍ରୀରାମପୁର ସମେତ ଆଖପାଖ ପଂଚାୟତର ପ୍ରାୟ ୧୦ ହଜାରରୁ ଅଧିକ ଲୋକ । ହସ୍ପିଟାଲ, କଲେଜ, ମାର୍କେଟିଂ କରିବାକୁ ହେଲେ ଲୋକଙ୍କୁ ଏହି ଘାଟ ପାର ହେବାକୁ ପଡିବ । କିନ୍ତୁ ନଦୀରେ ସେତୁ ନଥିବାରୁ ଲୋକଙ୍କୁ ୨୦ ରୁ ୨୫ କିଲୋମିଟର ବୁଲି ଯିବାକୁ ପଡୁଛି । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ, ବୟସ୍କ ଲୋକେ ସମସ୍ତେ ବିପଦ ସଙ୍କୁଳ ଅବସ୍ଥାରେ ଏହି ଦେଶୀ ଡଙ୍ଗାରେ ଘାଟ ପାର ହେଉଛନ୍ତି ।
ଏହି ନଦୀ ଘାଟ ଉପରେ ନିର୍ଭର କରନ୍ତି ବାଲିଆପଳ ବ୍ଲକର ସାଉଡି, ବୋଳଂ, ବଣୀଆଡିହା, ସଦର ବ୍ଲକର କଶାଫଳ, ସାର୍ଥା, ଆଳୁମେଦା, ଶ୍ରୀରାମପୁର, ରସଲପୁର ପଂଚାୟତ ସହ ବସ୍ତା ବ୍ଲକର ଦୁଧହଂସା ପଚାୟତବାସୀ । ବରଡିଆ ଫେରିଘାଟରେ ସେତୁ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି । ଫଳରେ ଲୋକେ ଭାଗ୍ୟକୁ ଆଦରି ନେଇଛନ୍ତି ।
ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଯଦି ଏହି ନଦୀ ଉପରେ ସେତୁ ନିର୍ମାଣ କରନ୍ତି ତାହାହେଲେ ହଜାର ହଜାର ଲୋକଙ୍କ ଦୀର୍ଘ ଦିନର ସମସ୍ୟା ସମାଧାନ ହୋଇ ପାରନ୍ତା ।