ସରିଲା ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍ : ସାଢ଼େ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆସିଲା ପ୍ରସ୍ତାବ

203

କନକ ବ୍ୟୁରୋ : ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ମୋଟ୍ ୧୦ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ନିବେଶକ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଉଦଯାପନୀ ଉତ୍ସବରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଏହି ନିବେଶ ପରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହା ୧୦ ଲକ୍ଷ ୫୦ ହଜାର ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉଦଯାପନୀ ଉତ୍ସବରେ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ବୃହତ ଶିଳ୍ପ କ୍ଷେତ୍ରେରେ ସର୍ବୋତମ ଭାବେ ଆର୍ସେଲର ମିତଲ ନିପନ ଷ୍ଟିଲ ଗ୍ରୁପକୁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପିଏସୟୁ ବେଷ୍ଟ ଷ୍ଟିଲ ଭାବେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ ଓ ବେଷ୍ଟ ପ୍ୟାଭିଲିୟନ କ୍ୟାଟେଗୋରୀରେ ମିଶନ ଶକ୍ତି ଏବଂ ସ୍କିଲ୍ ଇନ୍ ଓଡ଼ିଶାକୁ ପୁରସ୍କାର ମିଳିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୫୭ ଜଣ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି ।

ସାଢ଼େ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମଧ୍ୟରୁ ସର୍ବାଧିକ ୫ ଲକ୍ଷ ୪୯ ହଜାର ୭୬୪ କୋଟି ଟଙ୍କା ଖଣିଜ, ଧାତବ ଏବଂ ଏସଂକ୍ରାନ୍ତ ଆନୁଷଙ୍ଗିକ ଶିଳ୍ପରେ ଆସିଛି। ଏହା ପଛକୁ ଶକ୍ତି, ଅକ୍ଷୟ ଶକ୍ତି ଏବଂ ସବୁଜ ଶକ୍ତି କ୍ଷେତ୍ରରେ ୨ ଲକ୍ଷ ୩୮ ହଜାର ୪୫୫ କୋଟି, ଲଜିଷ୍ଟ୍ରିକ୍ସ ଏବଂ ଭିତ୍ତିଭୂମି କ୍ଷେତ୍ରରେ ୧ ଲକ୍ଷ ୧୯ ହଜାର ୧୯୭ କୋଟି; ସାର, ପେଟ୍ରୋରସାୟନ, ରସାୟନ ଏବଂ ପ୍ଲାଷ୍ଟିକରେ ୭୬ ହଜାର ୮୦ କୋଟି, ମାନୁଫ୍ୟାକଚରିଂରେ ୨୧ ହଜାର ୬୩୪ କୋଟି, ପର୍ଯ୍ୟଟନରେ ୮୨୩୫ କୋଟି, ଆଇଟି ଏବଂ ଇଏସଡିଏମ୍‌ କ୍ଷେତ୍ରରେ ୭୭୪୦ କୋଟି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣରେ ୭୨୪୯ କୋଟି; କାଗଜ, କାଠ ଏବଂ ଜଙ୍ଗଲଜାତ ସାମଗ୍ରୀ କ୍ଷେତ୍ରରେ ୫୩୦୬ କୋଟି, ସିମେଣ୍ଟରେ ୫୦୧୨ କୋଟି, ସ୍ବାସ୍ଥ୍ୟସେବା ଓ ଫାର୍ମା କ୍ଷେତ୍ରରେ ୩୯୩୫ କୋଟି, ଏରୋସ୍ପେସ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ୨୦୫୫ କୋଟି, ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ ୫୦୦ କୋଟି, ଷ୍ଟାର୍ଟଅପ୍‌ରେ ୨୮୦ କୋଟି; ସେରାମିକ୍ସ, ଗ୍ଲାସ, ମାର୍ବଲ ଓ ଗ୍ରାନାଇଟରେ ୨୦୦ କୋଟି, ବର୍ଜ୍ୟବସ୍ତୁ ପରିଚାଳନାରେ ୧୬୯‌ କୋଟି, କୃଷି ବିପଣନରେ ୧୨୧ କୋଟି, ଶିକ୍ଷାରେ ୬୬ କୋଟି, ସିନେମା ଓ ଆମୋଦପ୍ରମୋଦରେ ୧୫ କୋଟି ଏବଂ ଅନ୍ୟାନ୍ୟ କେତେକ କ୍ଷେତ୍ରରେ ୬୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି ।

ପ୍ରସ୍ତାବ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ସର୍ବାଧିକ ୧୪୫ଟି ଧାତବ ଏବଂ ଖଣିଜ କ୍ଷେତ୍ରରୁ ଏବଂ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣରେ ୧୦୨ଟି, ସାର, ପେଟ୍ରୋରସାୟନ, ରସାୟନ ଏବଂ ପ୍ଲାଷ୍ଟିକରେ ୯୩ଟି, ଲଜିଷ୍ଟିକ୍ସ ଓ ଭିତ୍ତିଭୂମିରେ ୮୭ଟି ଏବଂ ପର୍ଯ୍ୟଟନରେ ୪୧ଟି, ଆଇଟି ଓ ଇଏସଡିଏମରେ ୩୭ଟି ପ୍ରସ୍ତାବ ଆସିଛି ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।