ପୁରୀରେ ୧୦ ରୁ ଅଧିକ ସେବାୟତ କରୋନା ପଜିଟିଭ , ସେବାୟତଙ୍କ ପରିବାରର ୨ ଜଣ ସଦସ୍ୟ ବି ପଜିଟିଭ  ଚିହ୍ନଟ । ଆଣ୍ଟିଜେନ୍ ଟେଷ୍ଟ ବେଳେ ପୁରୀ ଷ୍ଟେସନରୁ ଜଣେ ବାଳିକା ପଜିଟିଭ ଚିହ୍ନଟ

154

କନକ ବ୍ୟୁରୋ : ପୁରୀକୁ ଘାରିଛି କରୋନା ଚିନ୍ତା । ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିରର ୧୦ ଜଣ ସେବାୟତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାସହ ସେବାୟତଙ୍କ ପରିବାରରେ ବି ୨ ଜଣ ସଦସ୍ୟ କରୋନରେ ସଂକ୍ରମିତ ହୋଇଛନ୍ତି । ସେହିଭଳି ପୁରୀ ରେଳଷ୍ଟେସନରେ ଆଣ୍ଟିଜେନ୍ ଟେଷ୍ଟ ବେଳେ ଜଣେ ବାଳିକା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ପଜିଟିଭ ଚିହ୍ନଟ ହୋଇଥିବା ବାଳିକାର ପିତା ମାତା କିନ୍ତୁ ନେଗେଟିଭ ଥିବା କୁହାଯାଉଛି । ଏହି ପରିବାର ଗୁଜୁରାଟରୁ ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଜଣାପଡିଛି ।

କହିରଖୁ କି ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି । ଏଭଳି ସ୍ଥଳେ ଧାର୍ମିକ ସ୍ଥଳ ମାନଙ୍କରେ କଟକଣାକୁ ଜୋରଦାର କରାଯାଇଛି । ବିଶେଷ କରି ପୁରୀ ଶ୍ରୀମନ୍ଦିରରେ କଟକଣା କଡାକଡି ଭାବେ ପାଳନ କରାଯାଉଛି । ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ପଜିଟିଭଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ ୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିର ସେବାୟତ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ପୁଣି ଶ୍ରୀମନ୍ଦିରରେ କୋଭିଡ୍ କଟକଣାକୁ ଆହୁରି କଡାକଡି କରାଯାଇପାରେ ।