କେମିତି ବ୍ୟାଙ୍କ ଲକରରୁ ଗାଏବ ହେଲା ଦେଢ କେଜି ସୁନା : ସିସିଟିଭ ଆଧାରରେ ଛାନଭିନ୍ କରୁଛି ଲକ୍ଷ୍ମୀପୁର ପୋଲିସ

Advertisment
କେମିତି ବ୍ୟାଙ୍କ ଲକରରୁ ଗାଏବ ହେଲା ଦେଢ କେଜି ସୁନା : ସିସିଟିଭ ଆଧାରରେ ଛାନଭିନ୍ କରୁଛି ଲକ୍ଷ୍ମୀପୁର ପୋଲିସ

କନକ ବ୍ୟୁରୋ : ବ୍ୟାଙ୍କ ଲକରରୁ ଦେଢ କେଜି ସୁନା ଗାଏବ ଘଟଣାରେ ପୁଲିସର ଛାନଭିନ ଜୋରଦାର ହୋଇଛି । କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କ ଛକରୁ ଗତକାଲି ୧ କେଜି ୬୧୦ ଗ୍ରାମ ସୁନା ଗାଏବ ହୋଇଯାଇଥିଲା । ଏହାର ମୂଲ୍ୟ ପ୍ରାୟ ଦେଢ କୋଟି ହେବ । ଏ ନେଇ ସଂପୃକ୍ତ ବ୍ୟାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ବ୍ୟାଙ୍କର ଷ୍ଟ୍ରଙ୍ଗରୁମରୁ ଏହି ସୁନା ଗାଏବ ହୋଇଛି । ସିସିଟିଭି ଆଧାରରେ ପୁଲିସ ତଦନ୍ତ କରୁଥିଲେ ବି ପୁଲିସ ସ୍କାନରରେ ଅଛନ୍ତି ବ୍ୟାଙ୍କ କର୍ମଚାରୀ ।

ପ୍ରଶ୍ନ ଉଠୁଛି, ବ୍ୟାଙ୍କ ଭିତରୁ ଆଉ ଲକରରୁ ସୁନା ନେଲା କିଏ ? ତାଲା ଭଙ୍ଗା ନଯାଇ ଚୋରି ହୋଇଥିବାରୁ କର୍ମଚାରୀଙ୍କ ଉପରେ ସନ୍ଦେହ ବଢିଛି । ସୂଚନା ଅନୁସାରେ, ସୁନା ବହୁଦିନ ଆଗରୁ ଚୋରି ହୋଇଥିଲା । କିନ୍ତୁ ଗତକାଲି ବ୍ୟାଙ୍କ ମ୍ୟାନେଜର ଦେଖିବା ପରେ ଥାନାରେ ଏତଲା ଦେଇଥିଲା । ଘଟଣାରେ ଜଣକୁ ଅଟକ ରଖାଯାଇଛି । ତେବେ କେବେ ଚୋରି ହୋଇଛି ସେ ସମ୍ପର୍କରେ ସୂଚନା ମିଳିନାହିଁ । ଏହି ସବୁ ସୁନା ବନ୍ଧକ ରଖାଯାଇଥିଲା । ହିସାବ କରିବା ପରେ ୧ କେଜି ୬୧୦ ଗ୍ରାମର ହିସାବ ବାହାରିଛି ।

ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର ଷ୍ଟେଟ୍‌ ବ୍ୟାଙ୍କ ଲକରରୁ ୧୬୧୦ ଗ୍ରାମ ସୁନାଗହଣା ଚୋରି ହୋଇଥିବା ନେଇ ଶାଖା ପରିଚାଳକ ସୁଧାଂଶୁ ଶେଖର ରାଉତ ଆଜି ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଏସ୍‌ଡିପିଓ ଅଶ୍ବିନୀ କୁମାର ନାୟକ, କାକିରିଗୁମ୍ମା ଥାନା ଅଧିକାରୀ ଉଲ୍ଲାସ ରାଉତ, ଲକ୍ଷ୍ମୀପୁର ଆଇଆଇସି ଶ୍ବେତପଦ୍ମା ସେଠ୍, ନାରାୟଣପାଟଣା ଆଇଆଇସି ରଞ୍ଜିତ କୁମାର ସାହୁଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ। ଏହି ଟିମ୍‌ ବ୍ୟାଙ୍କରେ ପହଞ୍ଚି ସିସିଟିଭି ଯାଞ୍ଚ କରିଥିଲେ ।

ଏଥିସହ କୋରାପୁଟରୁ ସନ୍ଧାନୀ କୁକୁର ସହ ଫରେନ୍‌ସିକ ଟିମ୍‌ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛନ୍ତି । ଲକ୍ଷ୍ମୀପୁର ଷ୍ଟେଟ୍ ବ୍ୟାଙ୍କରୁ ଏତେ ପରିମାଣର ସୁନା କିଭଳି ଓ କେବେ ଚୋରି ହୋଇଛି ତାହା ଅସ୍ପଷ୍ଟ ରହିଛି । ବ୍ୟାଙ୍କର ସମ୍ମୁଖ ଓ ପଛପଟ ତାଲା ଏବଂ ଷ୍ଟ୍ରଙ୍ଗ୍‌ ରୁମ୍‌ର ତାଲା ଭାଙ୍ଗିନଥିବା ବେଳେ ସୁନାଗହଣା କିଭଳି ଚୋରି ହେଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଚୋରି ଘଟଣାରେ ବ୍ୟାଙ୍କ କର୍ମଚାରୀ ହିଁ ସମ୍ପୃକ୍ତ ଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe