ଚାକିରି ନେଉଛି କରୋନା । ଗତ ୪ ମାସ ମଧ୍ୟରେ ଭାରତରେ ଚାକିରି ହରାଇଲେଣି ୧ କୋଟି ୮୯ ଲକ୍ଷ ବ୍ୟକ୍ତି, ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମିର ସର୍ଭେ ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ । 

341

କନକ ବ୍ୟୁରୋ : କରୋନା ମହାମାରୀର ମୁକାବିଲା ପାଇଁ ହୋଇଥିବା ତାଲାବନ୍ଦ  ଦେଶର କୋଟିଏରୁ ଅଧିକ ଲୋକଙ୍କ ଚାକିରି ନେଇଛି । ଭାରତରେ ଗତ ୪ ମାସରେ ପ୍ରାୟ ୧ କୋଟି ୮୯ ଲକ୍ଷ ବ୍ୟକ୍ତି ଚାକିରି ହରାଇଛନ୍ତି । ଏଭଳି ଚମକାଇ ଦେଲା ଭଳି ସୂଚନା ମିଳିଛି ସେଂଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି  କରିଥିବା ଏକ ସର୍ଭେ ।

ଭାରତରେ ଗତ ୪ ମାସରେ ପ୍ରାୟ ୧ କୋଟି ୮୯ ଲକ୍ଷ ବ୍ୟକ୍ତି ଚାକିରି ହରାଇଛନ୍ତି । ଏଭଳି ଚମକାଇ ଦେଲା ଭଳି ସୂଚନା ମିଳିଛି ସେଂଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମୀ  କରିଥିବା ଏକ ସର୍ଭେ । ଏହି ସର୍ଭେକ୍ଷଣ ଅନୁସାରେ ଗତ ଏପ୍ରିଲରେ ୧ କୋଟି ୭୭ ଲକ୍ଷ ଜଣ ନିଜ ଚାକିରି ହରାଇଥିବା ବେଳେ ମେ’ ରେ ଏହି ସଂଖ୍ୟା ୧ ଲକ୍ଷ ହୋଇଥିଲା । ସେହିପରି ଗତ ଜୁନରେ ୩୯ ଲକ୍ଷ ଭାରତୀୟ ଚାକିରୀ ହରାଇଥିବା ବେଳେ ଜୁଲାଇ ୫୦ ଲକ୍ଷ ଜଣ ବ୍ୟକ୍ତି ଚାକିରି ହରାଇଥିବା ନେଇ ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି ।

ଗୋଟିଏ ପଟେ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ତାଲା ବନ୍ଦ କରାଯାଉଥିଲା, ଅନ୍ୟପଟେ ତାଲାବନ୍ଦ କିନ୍ତୁ ଚାକିରି ନେଇ ଚାଲିଥିଲା । ଏକ ଘରୋଇ ସଂସ୍ଥା ସିଏମଆଇଇର ଏହି ସର୍ଭେ ଦର୍ଶାଉଛି, ଏ ପ୍ରକାର କଠୋର ତାଲାବନ୍ଦ କେତେ ଭୟାନକ ହୋଇପାରେ ।  କରୋନା ସଂକ୍ରମଣକୁ ରୋକିବା ପାଇଁ କରାଯାଇଥିବା ଲକଡାଉନ୍ ଫଳରେ ବିଭିନ୍ନ ଅର୍ଥନୈତିକ କାରବାର ଏକ ପ୍ରକାର ଠପ୍ ହୋଇଗଲା । ଫଳରେ ଲକ୍ଷ ଲକ୍ଷ ଲୋକ ନିଜର ଚାକିରି ହରାଇଛନ୍ତି । ସାମଗ୍ରିକ ଭାବେ ଦେଖିବାକୁ ଗଲେ ୧୭ ପ୍ରତିଶତ ଚାକିରିଆ ନିଜ ଚାକିରି ହରାଇଛନ୍ତି ବୋଲି ସିଏମଆଇଇ କହିଛି । ଏହା ସହ ଏଭଳି ବ୍ୟକ୍ତିଙ୍କ ଚାକିରି ଗଲା ପରେ ପୁଣି ଥରେ ଚାକିରି ମିଳିବା କଷ୍ଟକର, ତେଣୁ ସେମାନଙ୍କ ସ୍ଥିତି ଆଗକୁ ଆହୁରି ସାଂଘାତିକ ହେବ ବୋଲି ସତର୍କ କରାଇଛି ସେଂଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି  ।

ସବୁଠାରୁ ବଡ ଦୁଃଖ ହେଉଛି, ଥରେ ଚାକିରି ହରାଇଥିବା ଲୋକେ ପୁଣି ଥରେ କର୍ମସଂସ୍ଥାନ ଯୋଗାଡ କରିବା ଅତି କଷ୍ଟକର ବ୍ୟାପାର । ଆଉ ଏତେ ସଂଖ୍ୟାରେ ଲୋକ ବେକାର ହେବା ପରେ ତୃଣମୂଳ ସ୍ତରରେ ଅର୍ଥନୀତି ଦୋହଲି ଯିବା ସ୍ୱାଭାବିକ କଥା ।  ସିଏମଆଇଇର ସର୍ଭେ ଅନୁସାରେ ଏପ୍ରିଲ ମାସରେ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତି ଚାକିରି ହରାଇଥିବା ବେଳେ ଜୁଲାଇ ସୁଦ୍ଧା ୩ ପ୍ରତିଶତରୁ କମ୍ ବ୍ୟକ୍ତି ଜୀବୀକା ନିର୍ବାହରୁ ବଂଚିତ ହୋଇଥିଲେ । ଏହାର ପ୍ରଭାବ ଅର୍ଥନୀତି ଉପରେ ପଡିବ ବୋଲି ସୂଚନା ଦେଇଛି ଏହି କେନ୍ଦ୍ର ।