ଭିଜିଲାନ୍ସ ଜାଲରେ ଓଏସଏପି ସିପାହୀ: ଘରୁ ଠାବ ହେଲା ୧ କୋଟି ୨୬ ଲକ୍ଷରୁ ଅଧିକ ସମ୍ପତ୍ତି

308

କନକ ବ୍ୟୁରୋ: ଓଏସଏପି ଷଷ୍ଠ ବାଟାଲିୟନର ସିପାହୀଙ୍କ ଘରେ ରେଡ୍ । ସିପାହୀଙ୍କର ୧ କୋଟି ୨୬ ଲକ୍ଷରୁ ଅଧିକ ସମ୍ପତ୍ତି ଠାବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ । ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । କଟକର ତିନିଘରିଆରେ ୩ ମହଲା କୋଠା ଠାବ । ପୁରୀ ସ୍ଥିତ ତଳଜଙ୍ଗାରେ ଏକ ମହଲା କୋଠା ଠାବ ।

ରାଜ୍ୟର ଆଜି ଏକାଧିକ ସରକାରୀ ଚାକିରୀଆଙ୍କ ଘରେ ଚଢ଼ାଉ କରିଛି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ । ଚଢ଼ାଉ ସମୟରେ ଜଣେ ସିପାହୀଙ୍କ ଘରୁ ଯେତିକି ସମ୍ପତି ଠାବ ହୋଇଛି ତାକୁ ଦେଖି ତାଟକା ହୋଇ ଯାଇଛନ୍ତି ତଦନ୍ତକାରୀ ଅଧିକାରୀ । ସେହିପରି ଗଜପତି ନୂଆଗଡର ଫରେଷ୍ଟରଙ୍କ ଏକାଧିକ ଠିକଣାରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ଏପଟେ ଲାଂଚ ନେବାବେଳେ ଖୋର୍ଦ୍ଧାରେ ଧରାପଡିଛନ୍ତି ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ।

ଆୟ ବର୍ହିର୍ଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ, ଓଏସଏପି ସିପାହୀ ଓ ଗଜପତି ନୂଆଗଡ ଫରେଷ୍ଟରଙ୍କ ଏକାଧିକ ଠକିଣାରେ ଭିଜିଲାନ୍ସ ରେଡ୍ କରିଥିଲାବେଳେ, ଖୋର୍ଦ୍ଧା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଲ୍ ପାସ କରାଇ ଦେବାକୁ ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

କଟକ ସ୍ଥିତ ଓଏସ୍ଏପି ଷଷ୍ଠ ବାଟାଲିଆନ୍ର ସିପାହୀ ସହଦେବ ପରିଡାଙ୍କ ୫ଟି ଠିକଣାରେ ଯେତେବେଳେ ଭିଜିଲାନ୍ସ ରେଡ୍ କରିଥିଲା ତାଙ୍କ ସମ୍ପତି ଦେଖି ତାଜୁବ ହୋଇଯାଇଥିଲେ ଅଧିକାରୀ । ଚଢ଼ଉ ବେଳେ ଜବତ ହୋଇଥିଲା ନଗଦ ୨ ଲକ୍ଷ ୯୪ ହଜାର ୬ ହଜାର ଟଙ୍କା । ୪ଟି ଦୁଇ ଚକିଆ ଗାଡି ଓ ୧୭ଟି ବ୍ୟାଙ୍କ ପାସ୍ ବୁକ୍ । ଭୁବନେଶ୍ୱର ପାଣ୍ଡରା ଓ ପୁରୀ ମାଳତୀପାଟପୁରରେ ପ୍ଲଟ । ସେହିପରି ତାଙ୍କ ପତ୍ନୀ ଗୀତାଞ୍ଜଳି ପରିଡ଼ାଙ୍କ ନାଁରେ କଂଟିଲୋ ଓ ଗୋପାଳପୁରରେ ଦୁଇଟି ପ୍ଲଥ ଓ ପୁଅ କିଷନ ପରିଡ଼ାଙ୍କ ନାଁରେ କଟକ ଗଣ୍ଡରପୁରରେ ଏକ ପ୍ଲଟ । ହେଲେ ବାଟାଲିୟନରେ ସିପାହୀ ଭାବେ କାର୍ଯ୍ୟ କରୁଥିବା ସହଦେବ ଏତେ ଟଙ୍କା କେଉଁଠୁ ଆଣିଲେ ତାହା ଚର୍ଚ୍ଚାର ବିଷୟ ହୋଇଛି ।

ସେହିପରି ଗଜପତି ନୂଆଗଡ଼ ଫରେଷ୍ଟର ଗଣେଶ କୁମାର ପ୍ରଧାନଙ୍କ ୫ଟି ଠିକଣାରେ ଏକକାଳିନ ଚଢାଉ କରିଛି ଭିଜିଲାନ୍ସ । ପାରଳାଖେମୁଣ୍ଡି ଫ୍ରେଣ୍ଡସ୍ କଲୋନୀରେ ଥିବା ଘର, ଗରବନ୍ଧ ହରିଶ୍ଚନ୍ଦ୍ରପୁରରେ ଥିବା ପୈତୃକ ଘର, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାରେ ଥିବା ଦୁଇ ମହଲା ଘରେ , ନୂଆଗଡ଼ରେ ଥିବା ଅଫିସ୍ ଓ ଫରେଷ୍ଟ ଚାମ୍ବରରେ ଚଢାଉ କରିଛନ୍ତି ଭିିଜିଲାନ୍ସ ଟିମ୍ ।

ଏପଟେ ବିଲ ପାସ୍ କରାଇଦେବା ପାଇଁ ଠିକାଦାରଙ୍କଠାରୁ ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି, ଖୋର୍ଦ୍ଧା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ୱାଳ । ଠିକାଦାର ଶୁଭ୍ରଜିତ୍ ସାମନ୍ତରାୟଙ୍କଠାରୁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । କାମଦେବଙ୍କ ଖୋର୍ଦ୍ଧାରେ ଥିବା ସରକାରୀ କାର୍ଯ୍ୟାଳୟ ଓ ଭୁବନେଶ୍ୱର ଗଙ୍ଗନଗର ସ୍ଥିତ ବାସଭବନରେ ରେଡ୍ କରାଯାଇଛି ।