ଗୃହଭେଦୀ ବିଭୀଷଣ । ଏଟିଏମରେ ଭର୍ତି କରିବାକୁ ଯାଇ ନିଜ ପକେଟରେ ଟଙ୍କା ପୁରାଉଥିଲା ସୁରକ୍ଷା ସଂସ୍ଥାର କର୍ମଚାରୀ, ୩ ବର୍ଷରେ ଚଳୁ କରିଥିଲେ ଦେଢ କୋଟିରୁ ଅଧିକ ଟଙ୍କା ।

390

କନକ ବ୍ୟୁରୋ : ଏଟିଏମରୁ ଚଳୁ ହୋଇଗଲା ଦେଢ କୋଟିରୁ ଅଧିକ ଟଙ୍କା । ୩ ବର୍ଷରେ ଏତେ ପରିମାଣର ଟଙ୍କାକୁ ଚଳୁ କରିଥିଲେ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ବ୍ୟକ୍ତି । ଯେତେବେଳେ ମାମଲା ପଦାକୁ ଆସିଲା ଧରାପଡିବା ଭୟରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଯୁବକ । ସୌଭାଗ୍ୟର କଥା ଗୁଳି କାନରେ ବାଜି ଚାଲିଗଲା, ଆଉ ଏବେ ଗୁରୁତର ଅବସ୍ଥାରେ ଏଟିଏମର ଚତୁର ଚୋର ଏମସରେ ଭର୍ତି ହୋଇଛନ୍ତି ।

ଏଟିଏମର ସ୍ମାର୍ଟ ଚୋର । ଲକ୍ଷେ କି ଦୁଇ ଲକ୍ଷ ନୁହଁ ଏଟିଏମରୁ ଚୋରି କରିଛି କୋଟିଏରୁ ଅଧିକ ଟଙ୍କା । ଏଟିଏମରେ ଟଙ୍କା ଲୋଡ୍ କରିବା ବେଳେ ବେଧଡକ ଲୁଟୁଥିଲେ । ୩ ବର୍ଷରେ ଏମିତି ହାତସଫେଇରେ ଚଳୁ କରିଦେଲେ କୋଟିଏ ୮୦ ଲକ୍ଷ ଟଙ୍କା । ଅଡିଟରେ ଧରାପଡିବା ପରେ ଲୁଟେରା ନିଜକୁ ନିଜେ ଗୁଳି କଲା । ହେଲେ ଗୁଳି ମୁଣ୍ଡ ବଦଳରେ କାନରେ ବାଜି ଚାଲିଯିବାରୁ ଗୁରୁତର ଅବସ୍ଥାରେ ସେ ଏବେ ଭୁବନେଶ୍ୱର ଏମସରେ ଭର୍ତି ହୋଇଛି । ଏହା ସହିତ ସାମ୍ନାକୁ ଆସିଛି ଏଟିଏମ ଲୁଟର ଗୁମର । ଲୁଟ୍ ଘଟଣାରେ ୫ରୁ ଅଧିକ ବ୍ୟକ୍ତି ସାମିଲ ଥିବା ଜଟଣୀ ପୋଲିସ ସନ୍ଦେହ କରୁଛି ।

ସିକ୍ୟୋର ଭାଲ୍ୟୁ ଅଫ୍ ଇଣ୍ଡିଆ ଲିମିଟେଡ ନାମକ ସଂସ୍ଥା ବିଭିନ୍ନ ବ୍ୟାଙ୍କର ଏଟିଏମରେ ଟଙ୍କା ଭର୍ତି କରିଥାଏ । ଏହି ସଂସ୍ଥା ଜଟଣୀ ଓ ଖୋର୍ଦ୍ଧାରେ ଥିବା ଆକ୍ସିସ୍, ଆଇସିଆଇସିଆଇ ଓ ଏସବିଆଇ ଏଟିଏମରେ ଟଙ୍କା ଭର୍ତି କରୁଛି । ତେବେ ଏଥିପାଇଁ ଆବଶ୍ୟକ ୨ ଜଣ କର୍ମଚାରୀ । ଦେଢ କୋଟିରୁ ଅଧିକ ଟଙ୍କା ଲୁଟ୍ ଖବର ସାମ୍ନାକୁ ଆସିବା ପରେ ସନ୍ଦେହ ଘେରକୁ ଆସିଥିଲେ ମୀତକେତନ ବେହେରା ଓ ଗଗନ୍ ।

ମୀନକେତନ ବେହେରା । ପୁରୀ ଜିଲ୍ଲା ନିମାପଡା ଅଂଚଳରେ ଘର । ଅନ୍ୟ ଜଣେ ସାଥୀ ଗଗନ । ଏଟିଏମରେ ଟଙ୍କା ଭର୍ତି କରିବା ସମୟରେ ହିଁ ହାତସଫା କରୁଥିଲେ ଅତି ଚତୁରତାର ସହିତ । ୩ ବର୍ଷରେ ୫ ଏଟିଏମରୁ କୋଟିଏ ୮୦ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲେ । ଅଡିଟ୍ ବେଳେ ମୀନକେତନ ଓ ଗଗନ ଆସିଥିଲେ ସନ୍ଦେହ ଘେରକୁ । ଏହା ପରେ ପୋଲିସର ନଜର ପଡିଥିଲା ଏହି ସ୍ମାର୍ଟ ଏଟିଏମ ଲୁଟେରାଙ୍କ ଉପରେ ।

ଯାହା ହାତରେ କୋଟି କୋଟି ଟଙ୍କା ଏଟିଏମରେ ଭର୍ତି କରିବାକୁ ଦିଆଯାଉଥିଲା , ସେ ନିଜେ କରୁଥିଲା ଲୁଟ୍ । ଟଙ୍କା ଭର୍ତି ପାଇଁ ଏଟିଏମ୍ ସଟର ପଡିବା ପରେ ଭିତରେ ଚାଲୁଥିବା ହାତସଫେଇ । ଦେଢ କୋଟିରୁ ଅଧିକ ଟଙ୍କା ଲୁଟ୍ ଘଟଣାରେ ଏବେ ଧରାପଡିଛି ଅଭିଯୁକ୍ତ ମୀନକେତନ । ଏହି ଘଟଣାରେ ଆଉ କାହାର ରହିଛି ସଂପୃକ୍ତି ତା ନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ ।