ଗୁରୁଜୀ ଗିରଫ ହେବା ପରେ… ଖୁସି ଯେତିକି, ଭୟ ସେତିକି ?

201

କନକ ବ୍ୟୁରୋ: ଦିନେ ଯେଉଁ ବ୍ୟକ୍ତି ରାସ୍ତାରେ ଚାଲିବାବେଳେ ଲୋକ ଲମ୍ବ ଲମ୍ବ ହୋଇ ଗୋଡତଳେ ପଡି ଯାଉଥିଲେ, ସମର୍ଥକ ରାସ୍ତାରେ ଫୁଲ ବିଛାଉଥିଲେ, ନେତା ପାଦଛୁଇଁ ମୁଣ୍ଡିଆ ମାରୁଥିଲେ ସେହି ବ୍ୟକ୍ତି ଏବେ ଜେଲର ଚାରିକାନ୍ଥ ଭିତରେ । ସାରଥୀ ଶୈଳୀରେ ଶହ ଶହ ଲୋକଙ୍କୁ ମଂଚ ଉପରେ ବସି ପ୍ରବଚନ ଦେଉଥିବା ଗୁରୁଜୀ ମାନସ ଦାସ ଗତକାଲି ଠାରୁ ଖୋର୍ଦ୍ଧା ସବଜେଲର ଜଣେ ସାଧାରଣ କଏଦୀ । କୁହାଯାଏ ଆଇନର ହାତ ବହୁତ ଲମ୍ବା । ଯେତେ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ, ଯେତେ ପତିଆରା ସୃଷ୍ଟି କରିଥିଲେ ମଧ୍ୟ ଅପରାଧ ପାଇଁ ଆଇନ ଅଛି । ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ନାଁରେ ଅପରାଧିକ ଷଡଯନ୍ତ୍ର କରି ମଣିଷ ମାରିବା ଓ ଶବକୁ ପୋଡି ପ୍ରମାଣ ନଷ୍ଟ କରିବା ଭଳି ଅଭିଯୋଗ ରହିଛି । ମାନସ ଦାସଙ୍କ ସହ ପୁଅ ମନୋରଞ୍ଜନ ଦାସଙ୍କୁ ମଧ୍ୟ ଗିରଫ କରି ପୋଲିସ କରୋନା ଯୋଗୁଁ ଆଇସଲେସନ ୱାର୍ଡରେ ରଖିଛି ।

ସରିଲା ବାପା, ପୁଅଙ୍କ ଅୟସ ଆରାମ । ଜେଲରେ ବିତିଲା ଦୁହିଁଙ୍କ ରାତି । ଖାଇଲେ ସାଧାରଣ କଏଦୀଙ୍କ ଖାଦ୍ୟ । ମାନସ ଦାସ ଓ ମନୋରଞ୍ଜନ ଦାସ । ବାପା ପୁଅଙ୍କ ବିରୋଧରେ ଆପାତତଃ ପ୍ରମାଣ ପାଇବା ପରେ ପୋଲିସ ଏମାନଙ୍କୁ ଗିରଫ କରି ଖୋର୍ଦ୍ଧା ଜେଏମଏଫସି କୋର୍ଟରେ ହାଜର କରିବା ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଏମାନଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିନାହିଁ ଖୋର୍ଦ୍ଧା ପୋଲିସ । ଶାସକ ଦଳର ବିଧାୟକ, ସାଂସଦଙ୍କ ସହ ମାନସ ଦାସଙ୍କ ଫଟୋ ଓ ଭିଡିଓ ସବୁ ସାମ୍ନାକୁ ଆସୁଥିଲା । ତେଣୁ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ବିରୋଧୀ ।

ମାନସ ଦାସ ଓ ପୁଅ ମନୋରଂଜନ ଦାସଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛନ୍ତି ହତ୍ୟାକାଣ୍ଡର ଶିକାର ହୋଇଥିବା ସତ୍ୟବ୍ରତ ନାୟକଙ୍କ ପରିବାର ଲୋକ । ଗୁରୁଜୀ ଗିରଫ ପରେ ଖୁସି ଥିବା କହିଛନ୍ତି କିନ୍ତୁ ହତ୍ୟାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ବାହାରେ ବୁଲୁଥିବାରୁ ଭୟରେ ଥିବା ମଧ୍ୟ ପ୍ରକାଶ କରିଛନ୍ତି ।

ଖୋର୍ଦ୍ଧା ଅଭିମାନପୁରର ସତ୍ୟବ୍ରତ ନାୟକ ମୃତ୍ୟୁ ମାମଲାରେ ୬ ଅଭିଯୁକ୍ତଙ୍କ ସହ ମାନସ ଦାସଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏହି ୬ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ଏମାନଙ୍କ ସହ ମାନସ ଦାସ ଓ ତାଙ୍କ ପୁଅ ମନୋରଂଜନଙ୍କ ଫଟୋ ରହିଛି । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସ୍ୱପ୍ନେଶ୍ୱର ନାୟକ । ସେ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିଲେ । ଖୋର୍ଦ୍ଧା ଅଭିମାନପୁର ଗାଁର ସତ୍ୟବ୍ରତଙ୍କୁ ହତ୍ୟା କରି ପୋଡି ଦିଆଯାଇଥିଲା । ସତ୍ୟବ୍ରତ ନାଏକଙ୍କୁ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ହେବାପରେ ପିଟିପିଟି ହତ୍ୟା କରିବା ସହ ପୋଡି ଦିଆଯାଇଥିଲା ।