‘ମଙ୍ଗଳଯାନ-୨’ ପାଇଁ ଇସ୍ରୋର ବଡ଼ ପ୍ରସ୍ତୁତି । ରୋଭର ସହ ଛୋଟ ହେଲିକେପ୍ଟର, ରୋବର୍ଟିକ କାର, ଏବଂ କ୍ରେନ ପଠାଇବ ଭାରତ । ମଙ୍ଗଳ ଗ୍ରହର ମାଟି ଓ ବାୟୁ ମଣ୍ଡଳ ଉପରେ କରିବ ଅଧିକ ଗବେଷଣା ।

64

କନକବ୍ୟୁରୋ: ମଙ୍ଗଳ ଗ୍ରହକୁ ନେଇ ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକମାନେ ନୂଆ ନୂଆ ଅଧ୍ୟୟନରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ଆଉ ପାଦେ ଆଗେଇ ମଙ୍ଗଳ ଗ୍ରହରେ ଓହ୍ଲାଇବାର ଯୋଜନା କରିଛି । ମଙ୍ଗଳଯାନର ସଫଳତା ପରେ ପରେ ମଙ୍ଗଳଯାନ-୨ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ । ଆଉ ମଙ୍ଗଳଯାନ- ୨ ପାଇଁ କିଛି ବଡ ଯୋଜନା କରିଛନ୍ତି ଇସ୍ରୋ ବୈଜ୍ଞାନିକ । ନିକଟରେ ନିଜ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ମିସନ୍ର ନାଁ ମାର୍ସ ଲ୍ୟାଣ୍ଡର ମିଶନ୍ ।
ଇସ୍ରୋର ମିଶନ୍ ‘ମଙ୍ଗଳଯାନ-୨’

– ମଙ୍ଗଲଯାନ-୨ ପାଇଁ ଇସ୍ରୋର ପ୍ରସ୍ତୁତି
– ଏହି ମିସନ୍ର ନାଁ ମାର୍ସ ଲ୍ୟାଣ୍ଡର ମିଶନ୍
– ଏଥିରେ ମଙ୍ଗଳ ଗ୍ରହକୁ ଓର୍ବିଟର, କ୍ରେନ୍, ରୋବର ପଠାଇବ
– ମଙ୍ଗଳ ଗ୍ରହର ଚାରିପଟେ ବୁଲିବା ନେଇ ଏକ ଓର୍ବିଟର ପଠାଇବ ଇସ୍ରୋ
– ଏହା କମ୍ୟୁନିକେଶନ୍ ରିଲେ ଓର୍ବିଟର ହେବ
– ମଙ୍ଗଳ ଗ୍ରହ ଉପରେ ଓହ୍ଲାଇଥିବ ଇସ୍ରୋର ଲ୍ୟାଣ୍ଡର ଓ ରୋବର
– ମଙ୍ଗଳ ଗ୍ରହର ମାଟି ଓ ବାୟୁ ମଣ୍ଡଳ ନେଇ ତଥ୍ୟ ସଂଗ୍ରହ କରିବ ଲ୍ୟାଣ୍ଡର ଓ ରୋବର

– ପରେ ଏହି ତଥ୍ୟ ଓର୍ବିଟର ମାଧ୍ୟମରେ ଇସ୍ରୋକୁ ପଠାଇବ

ମାର୍ସ ଲ୍ୟାଣ୍ଡର ମିସନ୍କୁ ଇସ୍ରୋର ଏଲଭିଏମ୍- ଥ୍ରୀ ରକେଟ୍ ସାହାଯ୍ୟରେ ଲଂଚ କରାଯିବ । ଏହା ଏକ ବିଶାଳ ରକେଟ୍, ଯାହା ବଡ ବଡ ମହାକାଶଯାନକୁ ଅନ୍ତରୀକ୍ଷକୁ ନେବାର କାମ କରିଥାଏ । ଏହା ପୂର୍ବରୁ ମାର୍ସ କମ୍ୟୁନିକେସନ୍ ରିଲେ ଅର୍ବିଟରକୁ ପିଏସ୍ଏଲଭି ରକେଟ୍ରେ ଲଂଚ କରାଯିବ । ଅର୍ବିଟର ପ୍ରଥମେ ଯାଇ ମଙ୍ଗଳ ଗ୍ରହ ଚାରିପଟେ ବୁଲି ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରି ବୈଜ୍ଞାନିକଙ୍କ ପାଖକୁ ପଠାଇବ । ଏହାପରେ ମାର୍ସ ଲ୍ୟାଣ୍ଡର ମିସନ୍କୁ ଉତ୍କ୍ଷେପଣ କରାଯିବ । ଏହା ଏକ ଜଟିଳ ପ୍ରକ୍ରିୟା ହେବ । ଲ୍ୟାଣ୍ଡରକୁ ମଙ୍ଗଳ ଗ୍ରହରେ ଓହ୍ଲାଇବା ପାଇଁ ସୁପରସୋନିକ୍ ପାରାଚ୍ୟୁଟ୍ ବ୍ୟବହାର କରାଯିବ । ଏହାସହ ଲ୍ୟାଣ୍ଡରରୁ ରୋବର ବାହାର କରିବା ପାଇଁ ସ୍କାଏ- କ୍ରେନ୍ ବ୍ୟବହାର କରାଯିବ । ଏ – ହେଉଛି ତାର କାଳ୍ପନିକ ଚିତ୍ର । ନାସା ଏହି ଶୈଳୀରେ ନିଜର ରୋବର ମଙ୍ଗଳ ଗ୍ରହରେ ଓହ୍ଲାଇବାରେ ସଫଳ ହୋଇ ସାରିଛି । ଆଶା କରାଯାଉଛି ଇସ୍ରୋ ବୈଜ୍ଞାନିକମାନେ ମଧ୍ୟ ଏଥିରେ ସଫଳତା ହାସଲ କରିବେ ।

ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର: ଏହା ମଙ୍ଗଳ ଗ୍ରହର ଭୂ-ତଳ ଅନୁଧ୍ୟାନ କରିବ
ୟୁଭି-ଟିଆଇଆର ସ୍ପେକ୍ଟ୍ରୋମିଟର: ଏହା ମଙ୍ଗଳ ଗ୍ରହରେ ଖଣିଜ ପଦାର୍ଥର ସନ୍ଧାନ କରିବ
ରମନ୍ ସ୍ପେକ୍ଟ୍ରୋମିଟର: ଏହା ମଙ୍ଗଳ ଗ୍ରହରେ ଜୀବ ସତ୍ତାର ଅନୁସନ୍ଧାନ କରିବ
ମାଇକ୍ରୋସ୍କୋପିକ୍ କଲର ଇମେଜ୍ର: ଏହା ମଙ୍ଗଳ ଗ୍ରହର ଉପର ଭାଗ ଏବଂ ମାଟିର ଅନୁଧ୍ୟାନ କରିବ
ଷ୍ଟିରିୟୋ କ୍ୟାମେରା: ଏହା ମଙ୍ଗଳ ଗ୍ରହର ଭୌଗଳିକ ସ୍ଥିତି ଅନୁସାରେ ଦିଗ ନିରୂପଣ କରିବ
ଡଷ୍ଟ ଏନ୍ଲାଇଜର: ଏହା ବାୟୁମଣ୍ଡଳରେ ଥିବା ଧୂଳିକଣାର ଷ୍ଟଡି କରିବ

ପୂର୍ବରୁ ସ୍କାଏ କ୍ରେନ୍, ଲ୍ୟାଣ୍ଡର ଓ ରୋବର ସାହାଯ୍ୟରେ ମଙ୍ଗଳକୁ ନେଇ ଗବେଷଣାରେ ସଫଳ ହୋଇଛି ନାସା । ଏବେ ଇସ୍ରୋ ମଧ୍ୟ ଏଭଳି କିଛି କରିବାକୁ ଯାଉଛି । ଇସ୍ରୋର ଏହି ମଙ୍ଗଳଯାନ-୨ ମିଶନ୍ ୨୦୩୧ରେ ଲଂଚ ହେବ ବୋଲି କୁହାଯାଉଛି ।