୧୭ରୁ ଆଉ ଏକ ଲଘୁଚାପ । ଭାରତୀୟ ପାଣିପାଗ ବିଭାଗର ଆକଳନ

843

କନକ ବ୍ୟୁରୋ : ଆସନ୍ତା୧୭ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୮ତାରିଖ ସୁଦ୍ଧା ଉତ୍ତର ଓଡିଶାର ଉପକୂଳରେ ପହଞ୍ଚିବ ।  ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

କିଛି ସ୍ଥାନରେ ପ୍ରବଳ ବର୍ଷା ସହ ଅନ୍ୟ କେତେକ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାର ପରିମାଣ ଧୀରେଧୀ‌ରେ ବଢ଼ିବ ।

ସେପଟେ, ପ୍ରାୟ ୫୫ ଘଣ୍ଟା ଧରି ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଥିବା ଲଘୁଚାପ ବର୍ଷା ଆଜି ସକାଳୁ ବିରାମ ନେଇଛି । ତା’ପରେ ବି ଲୋକଙ୍କ ଦୁର୍ଦଶା କମି ନାହିଁ । ବରଂ ଯନ୍ତ୍ରଣା ବଢ଼ି ଚାଲିଛି। ସହରର କେତେକ ଅଞ୍ଚଳରେ ଆଜି ବି ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିଲେ । କେଉଁଠି ପିଇବା ପାଣି ମିଳି ନ ଥିଲା ତ ଆଉ କେଉଁଠି ଲୋକେ ଘରେ ପହଞ୍ଚି ପାରି ନ ଥିଲେ । ଅତିପ୍ରବଳ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି । ରାସ୍ତା ମଝିରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି । ଝାରପଡ଼ା ବଜରଙ୍ଗନଗର ଅଞ୍ଚଳର ରାସ୍ତାରେ ପାଖାପାଖି ଅଧ କିଲୋମିଟର ରାସ୍ତାରୁ ପିଚୁ ଉଠିଯାଇଥିବାବେଳେ ବମିଖାଲ, ପଳାସୁଣୀ, ଜିଜିପି କଲୋନି, ସତ୍ୟବିହାର ଆଦି ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।