ଆଗକୁ ଆହୁରି ବର୍ଷା । ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ।

511

କନକ ବ୍ୟୁରୋ: ନିମ୍ନ ଚାପରେଖା ପ୍ରଭାବରେ ଗତ ୨୪ ଘଂଟାରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସେହିପରି ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ସର୍ବାଧିକ ୧୩୭.୬ ଏବଂ ଆସ୍କାରେ ୧୨୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମେଘୁଆ ପାଗ ଥିବାରୁ ରାତିର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିବା କହିଛି ପାଣିପାଗ ବିଭାଗ । ସେପଟେ ଗତକାଲିଠାରୁ ଥାଇଲାଣ୍ଡ ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇଛି । ଆଗାମୀ ୧୫ ତାରିଖ ବେଳକୁ ଏହା ଆଣ୍ଡାମାନ ଉପକୂଳରେ ପହଂଚିବ ।

ସେହିପରି ଅବପାତର ରୂପ ନେଇ ୧୮ ତାରିଖ ସଂଧ୍ୟାରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହା ଉପକୂଳ ଅତିକ୍ରମ କରିବା ସମୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ । ଫଳରେ ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଏହାସହ ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଜିଲ୍ଲାଗୁଡିକରେ ମଧ୍ୟ ବର୍ଷା ହେବ । ତେବେ ଉପକୂଳ ଅତିକ୍ରମ କରିବା ସମୟରେ ୪୦ କିଲୋମିଟରରୁ କମ୍ ବେଗରେ ପବନ ବହିବ ବୋଲି କହିଛି ପାଣିପାଗ ବିଭାଗ ।